ଭୁବନେଶ୍ୱର, (କେପିଏନ୍ଏସ୍) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକ ସଂପର୍କ ବିଭାଗ ଓ ୟୁନିସେଫ୍ ଓଡ଼ିଶାର ମିଳିତ ଉଦ୍ୟମରେ ୧୦ଟି ଜିଲ୍ଲା ଓ ୨ଟି ସହରାଂଚଳ ପାଇଁ କୋଭିଡ଼ ସଚେତନତା ରଥର ଶୁଭାରମ୍ଭ ଆଜି ସଂସ୍କୃତି ଭବନ ପରିସରରେ ପୂର୍ବାହ୍ନ ୧୦ଟା ୩୦ମି.ରେ ହୋଇଯାଇଛି । ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ (ଭା.ପ୍ର.ସେ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଂଜନ କୁମାର ଦାସ(ଭା.ପ୍ର.ସେ) ଉପସ୍ଥିତ ଥିଲେ ।
ଶୁଭାରମ୍ଭ କାର୍ଯ୍ୟରେ ବାସୁଦେବ ମାଳବିଶୋଇଙ୍କର ନୂତନ ଗୀତ ଓ ସଂଗୀତ ସ୍ୱର ସଂଯୋଜନାରେ ପ୍ରସ୍ତୁତି ହୋଇଥିôବା ‘ହାତ ଅଟେ ଅମୂଲ୍ୟ ରତ୍ନ’ ଗୀତ ଶୁଭାରମ୍ଭ ହୋଇଛି । ଏହା ସହିତ ଅବନୀ ମିଶ୍ରଙ୍କ ଲିଖିତ ଗୀତ, ପବିତ୍ର ପଟ୍ଟନାୟକଙ୍କ ସଂଗୀତ ଓ ସତ୍ୟଜିତଙ୍କ କଣ୍ଠରେ ‘ନାଗର ନାଗରୀ’ ଗୀତର ଲୋକାର୍ପଣ ହୋଇଛି । ଏହାବ୍ୟତୀତ ରଂଜନ ଦାସଙ୍କ ଲିଖିତ କାହାଣୀ ଆଧାରିତ ୨ଟି ଗୀତ ‘ଆମେ ମାନିବା ଲକ୍ଡାଉନ୍ ଓ କେଉଁ ବେଳାରେ ଆସିଲା ଏଇ କରୋନା ଭୂତାଣୁ ଗୀତ ମଧ୍ୟ ଶୁଭାରମ୍ଭ ହୋଇଛି । ସଚେତନ ଅଭିଯାନକୁ ଅଧିକ ସଫଳ କରିବା ପାଇଁ ବିଶିଷ୍ଟ ବ୍ୟକ୍ତି ଯଥା ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରଘୁନନ୍ଦନ ଦାସ, ପଦ୍ମଶ୍ରୀ ଅରୁଣ ମହାନ୍ତି, ସୁଦର୍ଶନ ପଟ୍ଟନାୟକ, ଚଳଚ୍ଚିତ୍ର ଅଭିନେତା କୁନା ତ୍ରିପାଠୀ ଓ ଅର୍ଚିତା ଏବଂ ନିର୍ଦ୍ଦେଶକ ରଂଜନ ଦାସଙ୍କ କରୋନା ସଚେତନ ବାର୍ତ୍ତା ମଧ୍ୟ ଶୁଭାରମ୍ଭ ହୋଇଥିଲା ।
ସୂଚନାଯୋଗ୍ୟ ଯେ, ଡିସେମ୍ବର ୨୦୨୦ରୁ ସଂସ୍କୃତି ବିଭାଗ, ଲୋକ ସଂପର୍କ ବିଭାଗ ଓ ୟୁନିସେଫ୍ କରୋନାକୁ ଦୂର କରିବା ପାଇଁ ସରକାରଙ୍କର ଆଭିମୁଖ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଛନ୍ତି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୬ ଜିଲ୍ଲା, ୧୧୬ ବ୍ଲକ ଓ ୩ଟି ସହରାଂଚଳରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ୨ୟ ଲେହରର ୩ୟ ପର୍ଯ୍ୟାୟ ସଚେତନ ଅଭିଯାନରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ମୟୁରଭଂଜ, ସୁନ୍ଦରଗଡ଼, ଗଜପତି, ଖୋର୍ଦ୍ଧା ଓ କଟକ ସହ ଭୁବନେଶ୍ୱର ଓ କଟକ ମ୍ୟୁନିସିପାଲ କର୍ପୋରେସନ୍ ଅନ୍ତଭୁକ୍ତ ଅଛନ୍ତି ।
ଏହି ଶୁଭାରମ୍ଭ କାର୍ଯ୍ୟରେ ୟୁନିସେଫ୍ ନୂଆଦିଲ୍ଲୀରେ କାର୍ଯ୍ୟରତନ ଯୋଗାଯୋଗ ବିଶେଷଜ୍ଞ ଶ୍ରୀମତୀ ଲୋପାମୁଦ୍ରା ତ୍ରିପାଠୀ ଉପସ୍ଥିତ ରହି କହିଥିଲେ ଯେ, ଓଡ଼ି।।ରେ ଆୟୋଜିତ ହେଉଥିବା ଲୋକକଳା ଦେଶରେ ଏକ ନିଆରା କାର୍ଯ୍ୟକ୍ରମ । ନେହେରୁ ଯୁବକେନ୍ଦ୍ରର ରାଜ୍ୟ ନିର୍ଦ୍ଦେଶିକା ଶ୍ରୀମତୀ ରୀତା ଭଗତ, ବିଏମ୍ସିର ଏଡ଼ିସନାଲ୍ ସେକ୍ରେଟାରୀ, ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଅବନୀ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ । ପୂର୍ବ ଭଳି ଏହି କରୋନା ସଚେତନତା ଅଭିଯାନର ସମସ୍ତ ଆୟୋଜନ ବାସୁଦେବ ମାଳବିଶୋଇ, ରାଜ୍ୟ ପ୍ରକଳ୍ପ ସଂଯୋଜକ କରିଥିଲେ ।