ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ପଥର କାରିଗର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ଆଜି ବାରଙ୍ଗପାଲି ଗ୍ରାମର ଦୁଇ ଶହ ପଥର କାରିଗର ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପଶ୍ଚିମ ଓଡ଼ିଶାର କଳା ସଂସ୍କୃତି ସହ ଜଡ଼ିତ ହସ୍ତଶିଳ୍ପ ପଥର କାରିଗର ମାନେ ଆଜି ଅବହେଳିତ । ଶହ ଶହ ବର୍ଷ ଧରି ପଥରରେ ବିଭିନ୍ନ ସାମଗ୍ରୀ ତିଆରି କରି ବଜାରରେ ବିକ୍ରୀ କରି ନିଜର ପରିବାର ପୋଷିଥାନ୍ତି ବାରଙ୍ଗପାଲି ଗାଁର ଦୁଇଶହରୁ ଉର୍ଦ୍ଧ୍ୱ ପରିବାର । ହେଲେ ବରପାଲି ତହସିଲଦାରଙ୍କ ମନମୁଖୀ କାର୍ୟ୍ୟ ଯୋଗୁଁ ବନ୍ଦ ହୋଇଯାଇଛି ଏମାନଙ୍କ ପେଟପାଟଣା ବୋଲି ଅଭିଯୋଗ କରିଛନ୍ତି ପଥର କାରିଗରମାନେ । ବରପାଲି ତହସିଲଦାରଙ୍କ ମୌଖିକ ନିର୍ଦ୍ଦେଶ ଯୋଗୁଁ ପଥର ଖାଦାନ୍ ସହ ପଥର କାର୍ୟ୍ୟରୁ ଦୀର୍ଘ ପାଞ୍ଚ ବର୍ଷରୁ ବଞ୍ଚିତ ହୋଇଛନ୍ତି ପଥର କାରିଗରମାନେ । ତେବେ ଏନେଇ ଆଜି ବାରଙ୍ଗପାଲି ଗାଁର ଶହ ଶହ କାରିଗରମାନେ ଏକ ରାଲିରେ ବାହାରି ତହସିଲ୍ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଦାବୀ ପତ୍ର ପ୍ରଦାନ କରିଥିଲେ । ଗୋଟିଏ ସପ୍ତାହ ମଧ୍ୟରେ ଆମକୁ ପଥର ଯୋଗାଇ ଦିଆଯାଉ ଓ ଆମ ବୃତ୍ତି ଆମକୁ ଫେରାଇ ଦିଆଯାଉ, ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି ବାରଙ୍ଗପାଲି ଗାଁର ପଥର କାରିଗରମାନେ । ସେପଟେ ତହସିଲଦାରଙ୍କ ଅନୁପସ୍ଥିତରେ ତହସିଲ କାର୍ୟ୍ୟାଳୟର ରାଜସ୍ୱ ପରିଦର୍ଶକ ରାଜକୁମାର ମିଶ୍ର ଦାବୀପତ୍ର ଗ୍ରହଣ କରି ତହସିଲଦାରଙ୍କୁ ଜଣାଇ ଦିଆଯିବ ଓ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.