କୁଳପତିଙ୍କ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଦୁର୍ବ୍ୟବହାର ଓ ସମ୍ବଲପୁରୀ ବସ୍ତ୍ର ପ୍ରତି ଦେଇଥିବା ଅଶାଳୀନ ମନ୍ତବ୍ୟକୁ ରାଜ୍ୟ ସାରା ବିରୋଧ କରିବ ଛାତ୍ର କଂଗ୍ରେସ
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ ମଙ୍ଗଳବାର ପଶ୍ଚିମ ଓଡିଶାର ଛାତ୍ରଛାତ୍ରୀମାନେ ଛାତ୍ର କଂଗ୍ରେସର ନେତୃତ୍ୱରେ ଯୁକ୍ତ ତିନି ତୃତୀୟ ବର୍ଷ ପରୀକ୍ଷାକୁ ଅନଲାଇନ ମାଧ୍ୟମରେ କରିବା ଦାବୀ ନେଇ ଏକ ସ୍ମାରକପତ୍ର ସମ୍ବଲପୁର ବିଶ୍ୱ ବିଦ୍ୟାଳୟ କୁଳପତିଙ୍କୁ ପ୍ରଦାନ କରିବାକୁ ଯାଇଥିବା ବେଳେ ସେଠାରେ ଛାତ୍ରମାନଙ୍କ ପ୍ରତି ହୋଇଥିବା ପୋଲିସର ଲାଠି ଚାଳନା ଓ କୁଳପତି ସଂଜୀବ ମିତ୍ତଲ ଛାତ୍ରଛାତ୍ରୀଙ୍କ ପ୍ରତି ତଥା ସମ୍ବଲପୁରୀ ବସ୍ତ୍ର ପ୍ରତି ଦେଇଥିବା ଅଶାଳୀନ ମନ୍ତବ୍ୟ ବିରୁଦ୍ଧରେ ରାଜ୍ୟ ସାରା ଆନ୍ଦୋଳନର ଚେତାବନୀ ଦେଇଛି ରାଜ୍ୟ ଛାତ୍ର କଂଗ୍ରେସ । ବୁଧବାର ବରଗଡ଼ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାଶୀର ନବାବ ଚେତାବନୀ ଦେଇ କହିଛନ୍ତି ଯେ ଗତକାଲି ପଶ୍ଚିମ ଓଡିଶାର ବିଭିନ୍ନ କଲେଜର ଛାତ୍ରମାନେ ଯୁକ୍ତ ତିନି ଫାଇନାଲ ପରୀକ୍ଷାକୁ ଅନଲାଇନ ମୋଡ଼ରେ କରିବା ଦାବୀ ନେଇ ଶାନ୍ତିପୂର୍ଣ୍ଣ ଭାବରେ କୁଳପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବାକୁ ଯାଇଥିବା ବେଳେ ନିରୀହ ଛାତ୍ରମାନଙ୍କୁ ପୋଲିସ ଲଗାଇ ଲାଠି ଚାଳନା କରିବା କେତେ ଦୂର ଠିକ ବୋଲି ସେ ପ୍ରଶ୍ନ କରିବା ସହ ଏଥି ସକାଶେ ଛାତ୍ର ସମାଜକୁ କୁଳପତି ଶ୍ରୀ ମିତ୍ତଲ କ୍ଷମା ପ୍ରାର୍ଥନା ନ କରିବା ଯାଏ ଛାତ୍ର କଂଗ୍ରେସ ରାଜ୍ୟ ସାରା ଆନ୍ଦୋଳନ ଜାରି ରଖିବ ବୋଲି ୟାଶୀର ଘୋଷଣା କରିଥିଲେ । ରାଜ୍ୟରେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ଏବଂ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରିଥିବା ବେଳେ ଛାତ୍ରମାନେ କରିଥିବା ଏହି ନ୍ୟାୟୋଚିତ ଦାବୀକୁ କୁଳପତି ମାନି ନେଉନାହାନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ । ଏବେ ଛାତ୍ର ସମାଜ, ଅଭିଭାବକ ସମସ୍ତେ କରୋନା ଯୋଗୁଁ ଆତଙ୍କିତ ଥିବାରୁ ଏହି ପରୀକ୍ଷାକୁ ଅନଲାଇନ ମାଧ୍ୟମରେ କରିବାକୁ ଆମେ ଦାବୀ କରୁଛୁ ବୋଲି ସେ କହିଥିଲେ । ସେ ଏହି ମର୍ମରେ କହିଥିଲେ ଯେ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ସେ କେବେ ଛାତ୍ରଛାତ୍ରୀଙ୍କ ବିଷୟରେ ଚିନ୍ତା କରି ନାହାନ୍ତି । ଏବେ ଛାତ୍ରଛାତ୍ରୀ ସ୍ୱର ଉଠାଇ ଲାଠି ଖାଇଲେ, ସ୍ୱର ନ ଉଠାଇଲେ ଅଫଲାଇନ ପରୀକ୍ଷା ଦେଇ କରୋନା ଗ୍ରସ୍ତ ହେବେ । ତେଣୁ ଏହି ପରୀକ୍ଷା ଅନଲାଇନ ମୋଡ଼ରେ ନ ହେଲେ ଓ କୁଳପତି ଛାତ୍ର ସମାଜକୁ କ୍ଷମା ନ ମାଗିଲେ ଛାତ୍ର କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଘେରାଉ କରାଯିବା ସହ ସମଗ୍ର ରାଜ୍ୟରେ ଛାତ୍ର କଂଗ୍ରେସ ଆନ୍ଦୋଳନ କରିବ ବୋଲି ସେ ଘୋଷଣା କରିଥିଲେ । ଜିଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ କହିଥିଲେ ଯେ ଦୀର୍ଘ ୧୫ ଦିନ ଧରି ଛାତ୍ରମାନେ କଲେଜ ଅଧ୍ୟକ୍ଷ, ତହସିଲଦାର, ଉପଜିଲ୍ଲାପାଳ ମାଧ୍ୟମରେ ଅନଲାଇନ ପରୀକ୍ଷା କରିବା ପାଇଁ ଦାବୀ କରି ଆସୁଥିବା ବେଳେ କେହି ଶୁଣି ନ ଥିଲେ, ଗତକାଲି ଛାତ୍ର ମନେ ଶାନ୍ତିପୂର୍ଣ୍ଣ ଭାବେ ଦାବୀପତ୍ର ଦେବାକୁ ଯାଇଥିବା ବେଳେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଥିବା କିଛି ଛାତ୍ରଙ୍କ ଉଦ୍ଦେଶ୍ୟରେ କୁଳପତି ଶ୍ରୀ ମିତ୍ତଲ ଆକ୍ଷେପ କରି ଏମାନେ ବାଜା ବାଲା ଅଣ ଛାତ୍ର ବୋଲି କହିବା ସହ ପୋଲିସ ଲଗାଇ ମାଡ଼ ମାରି ହାତଗୋଡ଼ ଭଙ୍ଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ଛାତ୍ର ସମାଜ ତଥା ବିଶ୍ୱ ଦରବାରରେ ଆଦ୍ରୁତ ଲାଭ କରିଥିବା ସମ୍ବଲପୁରୀ ବସ୍ତ୍ର ପ୍ରତି ଅଶାଳୀନ ମନ୍ତବ୍ୟ ପାଇଁ କୁଳପତି ଯଦି କ୍ଷମା ନ ମାଗିବେ ତାହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ । ସାମ୍ବାଦିକ ସମ୍ମିଳନୀରେ ଜିଲା କଂଗ୍ରେସ ପର୍ୟ୍ୟବେକ୍ଷକ ରାଜକିଶୋର ଷଡ଼ଙ୍ଗୀ, ପ୍ରଦୀପ ଦେବତା, ନିପନ ଦାଶ, ସରୋଜ ଷଡ଼ଙ୍ଗୀ , ଗୌରବ ପତି, ସରୋଜ ମହାପାତ୍ର, ଦୟସାଗର ମେଣ୍ଡଳୀ, ସୁଶାନ୍ତ ସାହୁ, ସୁଧୀର ଜେନା, ଅନନ୍ତ ତାଣ୍ଡି, ପାଣ୍ଡବ କର୍ଣ୍ଣ, ବ୍ରହ୍ମା ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ ।