jayashree

ଅନଲାଇନ ପରୀକ୍ଷା ଦାବୀରେ ପଲିଟେକନିକ୍ ଛାତ୍ରଙ୍କ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା କାଲି ଠାରୁ ୧୩ ତାରିଖ ପର୍ୟ୍ୟନ୍ତ ଦ୍ୱିତୀୟ ଓ ତୃତୀୟ ବର୍ଷ ପଲିଟେକନିକ ଛାତ୍ରଛାତ୍ରୀଙ୍କ ଅଫଲାଇନ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଅଫଲାଇନ ପରିବର୍ତ୍ତେ ଅନଲାଇନ ମାଧ୍ୟମରେ ପରୀକ୍ଷା କରିବା ଦାବୀରେ ବଲାଙ୍ଗିର ପଲିଟେକନିକ ଛାତ୍ରମାନେ ଆଜି କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କରୋନାର ଦ୍ୱିତୀୟ ପର୍ୟ୍ୟାୟ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଗୋଟିଏ ପଟେ ସରକାର ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ କରିବାକୁ ଉପଦେଶ ଦେଉଛନ୍ତି କିନ୍ତୁ ଅନ୍ୟ ପଟେ ଛାତ୍ରଛାତ୍ରୀଙ୍କ ଅଫଲାଇନ ପରୀକ୍ଷା କରାଇ ସେମାନଙ୍କୁ ସାମ୍ଭାବ୍ୟ ସଂକ୍ରମଣକୁ ଠେଲି ଦେଉଛନ୍ତି । ବର୍ଷ ତମାମ ଅନଲାଇନ ପାଠପଢା ପରେ ଏବେ ପରୀକ୍ଷା ବେଳକୁ ଅଫଲାଇନ ପରୀକ୍ଷା ଦେବାକୁ ବାଧ୍ୟ କରୁଛନ୍ତି । ଆହୁରି ମେକାନିକାଲ ବିଭାଗର ଜଣେ ଛାତ୍ର କରୋନା ସଂକ୍ରମିତ ହୋଇଥିବା ଅଭିଯୋଗ ହେଉଛି । ଏଭଳି ସ୍ଥିତରେ ଅଫଲାଇନ ପରୀକ୍ଷାରେ ଅନ୍ୟ ଛାତ୍ରଛାତ୍ରୀମାନେ ସଂକ୍ରମିତ ହେବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ତେଣୁ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଥିବା ପରୀକ୍ଷାକୁ ଅନଲାଇନ ମାଧ୍ୟମରେ କରାଯିବା ଦାବୀରେ ବିକ୍ଷୋଭ କରିବା ସହ କଲେଜ କର୍ତ୍ତୃପକ୍ଷଙ୍କୁ ଏସଂକ୍ରାନ୍ତୀୟ ଏକ ଦାବୀପତ୍ର ପ୍ରଦାନ କରିଥିବା ଛାତ୍ରମାନେ କହିଛନ୍ତି । ଅନ୍ୟ ପକ୍ଷରେ କଲେଜ କର୍ତ୍ତୃପକ୍ଷ ପରୀକ୍ଷାର ମାଧ୍ୟମ ନିର୍ଣ୍ଣୟ କରିବାରେ ନିଜର ଅସମର୍ଥତା ପ୍ରକାଶ କରିଛନ୍ତି । ପିଲା ଅଫଲାଇନ ମୋଡରେ ପ୍ରାକ୍ଟିକାଲ ପରୀକ୍ଷା ଦେବା ପରେ ଥିଓରି ପୁର୍ବରୁ ଅନଲାଇନ ପରୀକ୍ଷା ଦେବା ପାଇଁ ଆନ୍ଦୋଳନରେ ଓହ୍ଲାଇବା ଆଶ୍ଚର୍ୟ୍ୟଜନକ । ତେବେ କଲେଜ ଛାତ୍ରଛାତ୍ରୀଙ୍କ ଦାବୀକୁ କଲେଜ ଏସିଟିବିଟିକୁ ଜଣାଇ ଦେଇଛି । ଏହି ସ୍ଥିତିରେ ସେହି ବିଭାଗ ହିଁ କୌଣସି ପଦକ୍ଷେପ ନେଇ ପାରିବେ ବୋଲି କଲେଜ କର୍ତ୍ତୁପକ୍ଷ କହିଛନ୍ତି । କଲେଜ କର୍ତ୍ତୃପକ୍ଷଙ୍କ ଉତ୍ତର ଶୁଣିବା ପରେ ପଲିଟେକନିକ ଛାତ୍ରମାନେ ଜିଲ୍ଲାପାଳ କାର୍ୟ୍ୟାଳୟ ସାମନାରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ମୁହାଁଇଥିବା ସୂଚନା ରହିଛି ।

Leave A Reply

Your email address will not be published.