ଦେଓଗାଁ, (ମନୀଷ କୁମାର ସାହୁ) : ଆଧୁନିକ ଯୁଗରେ ଆଜି ବି ବଞ୍ଚିଛି ଶହ ଶହ ବର୍ଷର ପରମ୍ପରା । ରାଜା ରାଜୁଡ଼ା ଅମଲରୁ ହେଉଥିବା ହୋଲିକା ଦହନ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ଗାଁ ଲୋକେ । ହାତରେ ପୁତୁଲା ଲଗା ବାଡ଼ି ଟିଏ ଧରି ଗାଁରେ କୋଦୁଛନ୍ତି ହୋଲି । ଏଥିରେ ସାମିଲ ହୋଇଥାନ୍ତି ପିଲାଠୁ ଭେଣ୍ଡିଆ ପର୍ୟ୍ୟନ୍ତ । ଶନିବାର ରାତିରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ଗାଁରେ । ପରମ୍ପରା ଅନୁଯାୟୀ ଦୋଳ ପୂର୍ଣ୍ଣିମାର ଗୋଟିଏ ଦିନ ଆଗରୁ ଗାଁର ସମସ୍ତ ଲୋକ ଏକତ୍ରିତ ହୋଇ ହୋଲିକା ଦହନ କରିଥାନ୍ତି ।
ପ୍ରଥମେ ଇଷ୍ଟଦେବୀ ମାଁ ପାଟଖଣ୍ଡାଙ୍କ ମନ୍ଦିର ଛତର ଶୋଭା ଯାତ୍ରା ବାହାରିଲା ପରେ ଗାଁ ଲୋକମାନେ ହାତରେ ଖଣ୍ଡିଏ ଖଣ୍ଡିଏ କାଠ ଓ ପିଆଳ ପୁତୁଲା ଧରି ତିନିଥର ଗାଁ ପରିକ୍ରମା କରନ୍ତି । ପୂର୍ବରୁ ଏହି ପରିକ୍ରମା ପରମ୍ପରା ସାତଥର ହେଉଥିଲା । ଗାଁ ମୁଣ୍ଡରେ ଥିବା ବୁଢ଼ୀଆଇ ବନ୍ଦ ଭିତରେ ହୋଲିକା ଦହନ କରିଥାନ୍ତି ଲୋକମାନେ । ଗୋଟିଏ ସ୍ଥାନରେ କେବଳ ମେହେର ସମାଜର ଲୋକମାନେ ହୋଲିକା ଦହନ କରୁଥିବା ବେଳେ ଆଉ ଗୋଟିଏ ସ୍ଥାନରେ ଗାଁର ସମସ୍ତ ଲୋକମାନେ ଦହନ କରୁଥିବା ଦେଖାଯାଇଥିଲା । ପରେ ଏହି ହୋଲିକା ଠାରୁ ଜଳୁଥିବା କାଠ ବିଭିନ୍ନ ପଡ଼ାକୁ ନେଇ ହୋଲିକା ଦହନ କରିଥିଲେ । ଏହି ହୋଲିକା ଦହନ ପାଇଁ ଜରାସିଂହା ଗାଁର ସମସ୍ତ ଘରେ କବାଟ ଦେଇ ଲୋକମାନେ ରହିଥାଆନ୍ତି । ତା ପର ଦିନ ଦେଓଗାଁ ଅଞ୍ଚଳର ଅନ୍ୟ ଗାଁ ଗୁଡ଼ିକରେ ଏହି ହୋଲିକା ଦହନ ପରମ୍ପରା ଅନୁଷ୍ଠିତ ହୋଇଥାଏ ।