ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ତହସିଲ ଅନ୍ତର୍ଗତ ବନ୍ଧପଡା ଆର ଆଇ ସର୍କିଲର ସିଂହାମୁଣ୍ଡା ସ୍ଥିତ ସୋନଗଡ଼ ନଦୀରୁ ବାଲି ଚୋରା ଚାଲାଣ କରୁଥିବା ଏକ ଟ୍ରାକ୍ଟର ଉପରେ ଚଢ଼ାଉ କରି ୧୦ହଜାର ଫାଇନ ଆଦାୟ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଶନିବାର ୧୧ଟା ସମୟରେ ବାଲି ଚୋରା ଚାଲାଣ ହେଉଥିବାର ଖବର ପାଇ ବନ୍ଧପଡା ଆରଆଇ ରାଜେଶ କର୍ମୀ ଚଢ଼ାଉ କରିଥିଲେ । ଗାଡି ନମ୍ବର ଓଡ଼ି୧୭କ୍ୟୁ୪୮୦୩କୁ ଜବତ କରିଥିଲେ । ଘଟଣାସ୍ଥଳକୁ ଗାଡି ମାଲିକ ଆସି ୧୦ହଜାର ଟଙ୍କା ଫାଇନ ଦେଇଥିଲେ । ସୂଚନାଯୋଗ୍ୟ ଯେ, ବନ୍ଧପଡା ଆରଆଇ ସର୍କିଲ ଅଧୀନରେ ଥିବା ସୋନଗଡ଼ ନଦୀରୁ ପ୍ରତିଦିନ ଅଞ୍ଚଳରେ ଥିବା କୁଜିନେତାମାନେ ଟ୍ରାକ୍ଟର ଯୋଗେ ବାଲି ଚୋରାକାରବାର କରୁଛନ୍ତି । ଆରଆଇ ଚଢ଼ାଉ କରିବାକୁ ଗଲେ ଏହି ନେତାମାନେ ନାଳି ଆଖି ଦେଖାଉଥିବା ଅଭିଯୋଗ ହେଉଥିଲା । କେବଳ ବାଲି ନୁହେଁ ବେଆଇନଭାବେ ପଥର ମଧ୍ୟ ଚୋରା ଚାଲାଣ ହେଇଛି ଏହି ବନ୍ଧପଡା ଅଞ୍ଚଳରେ । ଏଣୁ ଏହି ଅଞ୍ଚଳରେ ବାଲି ଚୋରକୁ କାବୁ କରିବା ପାଇଁ ନିୟମିତ ଚଢ଼ାଉ କରିବାକୁ ସାଧାରଣରେ ଦାବୀ ହେଉଛି ।