୨୦୦ ଟଙ୍କା ପାଇଁ ଦୁଇଘଣ୍ଟା ପର୍ଯ୍ୟନ୍ତ ଚିକିତ୍ସାଲୟ ବାରଣ୍ଡାରେ ପଡ଼ିରହିଲା ମାଆର ଶବ : ମହାପ୍ରୟାଣ ଯୋଜନା କାହା ପାଇଁ !

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୦ ଟଙ୍କା ପାଇଁ ୨ ଘଣ୍ଟା ପର୍ୟ୍ୟନ୍ତ ଚିକିତ୍ସାଲୟ ବାରଣ୍ଡାରେ ପଡ଼ିରହିଲା ମୃତ ମହିଳାଙ୍କ ଶବ । ୨୦୦ ଟଙ୍କା ନଦେଲେ ବ୍ୟବଚ୍ଛେଦ ସ୍ଥଳକୁ ଶବ ବାହକ(ମହାପ୍ରୟାଣ)ଗାଡି ଶବ ନେବାକୁ ନାରାଜ ହେବାରୁ ହାତରେ ଆଦୌ ପଇସା ନଥିବା ପରିବାର ଲୋକେ ବାଟବଣା ହୋଇପଡ଼ିଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ । ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା ନଥିବା ବେଳେ ମୁଖ୍ୟ ଚିକିତ୍ସାଳୟରୁ ଟାଉନ ଭିତରେ ଥିବା ପୁରୁଣା ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ନିଆଯାଇଥାଏ ତାହା ପୁଣି ସରକାରଙ୍କ ମହାପ୍ରୟାଣ ଗାଡ଼ିରେ ବିନା ଖର୍ଚ୍ଚରେ ନିଆଯାଇଥାଏ । ମାତ୍ର ଅମ୍ବାଭୋନା ବ୍ଲକ ବେନିଆପାଲି ଗ୍ରାମର ଜଣେ ୪୭ ବର୍ଷର ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ ପାଇଁ ଟାଉନ ହସ୍ପିଟାଲକୁ ଶବ ନେବାପାଇଁ ମହାପ୍ରୟାଣ ଗାଡ଼ିର ଡ୍ରାଇଭର ବେଆଇନ ଭାବରେ ୨୦୦ ଟଙ୍କା ଦାବୀ କରିଥିଲେ । ମୃତ ବାସନ୍ତୀ ଧରୁଆଙ୍କ ପୁଅ ୨୦୦ ଟଙ୍କା ଦେଇନପାରିବାରୁ ପୁଅ ଆଗରେ ସେମିତି ଚିକତ୍ସାଲୟ ବାରଣ୍ଡାରେ ୨ ଘଣ୍ଟା ପର୍ୟ୍ୟନ୍ତ ପଡ଼ିରହିଲା ମାଆର ଶବ । ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମିର୍ଧା ଟପ୍ପଙ୍କର ହସ୍ତକ୍ଷେପ ପରେ ଶବ ଉଠିଥିଲା । ସାଧାରଣତଃ ୨୦୦ ଟଙ୍କା ନେବାର ନିୟମ ନଥିଲେ ମଧ୍ୟ ଶବ ନେବାପାଇଁ ଅର୍ଥ ଦାବୀ କରିବା ଦୁର୍ଭାଗ୍ୟଜନକ କଥା । ଏପରି ସ୍ଥଳେ ସାଧାରଣ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଛି ଯେ, ମହାପ୍ରୟାଣ ଯୋଜନା କାହା ପାଇଁ ? ମଣିଷତ୍ୱ ହରାଇବସିଥିବା ବରଗଡ଼ ମୁଖ୍ୟ ହସ୍ପିଟାଲର ଏପରି କିଛି କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ସରକାର ଆଜି ବଦନାମ ହେଉଛନ୍ତି । ଏପରି ଅମାନବୀୟ କର୍ମଚାରୀଙ୍କ ବିରୋଧରେ ପ୍ରଶାସନ ତଥା ରାଜ୍ୟ ସରକାର କଠୋର କାର୍ୟ୍ୟାନୁଷ୍ଠାନ ନେବାର ଜରୁରୀ ହୋଇପଡ଼ିଛି ।

Leave A Reply

Your email address will not be published.