ରାଉରକେଲା, (ପିଆଇବି) : ଏନ୍ଆଇଟି ରାଉରକେଲାର ଅଷ୍ଟାଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଥିବାରୁ ମୁଁ ବିଶେଷ ଆନନ୍ଦିତ । ରାଉରକେଲା ଏନଆଇଟି ଚଳିତ ବର୍ଷ ଏହାର ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଥିବା ଜାଣି ମୁଁ ଅତ୍ୟନ୍ତ ଖୁସି । ଆଜିର ଓଡ଼ିଶା, ଇତିହାସ ଓ ସଂସ୍କୃତି ଦୃଷ୍ଟିରୁବେଶ୍ ସମୃଦ୍ଧ । ବହୁ ପୁରୁଣା କାଳରୁ ଏହା ବିଜ୍ଞାନ ଭିତ୍ତିକ ଆଭିମୁଖ୍ୟର ଭୂମି ଥିଲା । ୮୦୦ ବର୍ଷ ପୂର୍ବରୁ ନିର୍ମିତ ହୋଇଥିବା କୋଣାର୍କର ସୂର୍ୟ୍ୟ ମନ୍ଦିର କଳା ଓ ବିଜ୍ଞାନର ଏକ ଅନୁପମ ସମନ୍ୱୟ । ଆସନ୍ତା କାଲି ମୁଁ ଏହି ମନ୍ଦିର ପରିଦର୍ଶନରେ ଯିବି । ଏହା ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳୀ ତାଲିକାରେ ସ୍ଥାନିତ ହୋଇଛି । ସ୍ୱାଧୀନତା ପରେ ଓଡ଼ିଶା ଆମ ରାଷ୍ଟ୍ରର ପୁନଃ ନିର୍ମାଣ କାର୍ୟ୍ୟରେ ସଂପୃକ୍ତ ହୋଇଆସିଛି । ଏହି ରାଉରକେଲାରେ ମୋର ମହାନ ପୂର୍ବଜ ତଥା ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ଭାରତର ଏକ ବୃହତ୍ ଷ୍ଟିଲ ପ୍ଲାଣ୍ଟର ପ୍ରଥମ ବ୍ଲାଷ୍ଟ ଫର୍ଣ୍ଣେସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।ଭାରତର ଅନ୍ୟତମ ପ୍ରଥମ ଶିଳ୍ପ ନଗରୀ ଭାବେ ପରିଚିତ ରାଉରକେଲା ଆଧୁନିକତା ସହତାଳ ଦେଇ ଆଗେଇ ଚାଲିଛି । ଏନ୍ଆଇଟି ପୂର୍ବଭାରତର ଦ୍ୱିତୀୟସର୍ବବୃହତ୍ ସରକାରୀ ବୈଷୟିକ ପ୍ରତିଷ୍ଠାନ ଭାବେ ଇଂଜିନିୟରିଂ ଓ ଟେକ୍ନୋଲୋଜି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛି । ଛ’ ଦଶକରୁ ଅଧିକ କାଳ ଧରି ଏହି ଇଂଜିନିୟରିଂ କଲେଜ ଦେଶର ବୈଷୟିକ ବୃତ୍ତିଧାରୀଙ୍କୁ ସମୃଦ୍ଧ କରିଆସୁଛି । ୨୦୦୨ରେ ଏହାକୁ ଜାତୀୟ ବୈଷୟିକ ପ୍ରତିଷ୍ଠାନର ମାନ୍ୟତା ପ୍ରଦାନ କରାଯାଇଥିଲା । ଆମ ସମାଜ ଓ ଅର୍ଥନୀତି ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁଏହି ଅନୁଷ୍ଠାନର ଯୁବ ଛାତ୍ରଛାତ୍ରୀମାନଙ୍କୁ ସମାଧାନର ସୂତ୍ର ବାହାର କରିବା ପାଇଁ ସୁଯୋଗ ଦିଆଯାଉଥିବା ଜାଣି ମୁଁ ଖୁସି ।
ଏ କଥା ଜାଣି ମୁଁ ଆହୁରି ଆନନ୍ଦିତ ଯେ ରାଉରକେଲା ଏନ୍ଆଇଟିରେ ସମଗ୍ର ଦେଶର ବିଭିନ୍ନ ଭାଗରୁ ଏବଂ ବିଦେଶରୁ ଛାତ୍ରଛାତ୍ରୀ ଆସି ପାଠ ପଢୁଛନ୍ତି । ଏହି ଅନୁଷ୍ଠାନରେ ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ୩୩ଟିରୁ ଛାତ୍ରଛାତ୍ରୀ ଆସି ପାଠ ପଢୁଥିବାରୁ ମୁଁ ବିଶେଷ ଖୁସି । ଆହୁରି ମଧ୍ୟ ମୁଁଜାଣିବାକୁ ପାଇଲି ଯେ ଏଠାରେ ୧୭ଟି ଦେଶରୁ ପିଲା ଆସି ପାଠ ପଢୁଛନ୍ତି ଏବଂଏହା ଏକ ବଡ଼ ଆନନ୍ଦର ବିଷୟ । ଏହି ୭୦୦ ଏକର ବିଶିଷ୍ଟ କ୍ୟାମ୍ପସରେ ୭୦୦୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢିବା ଘଟଣା ଏକ ବିବିଧତାର ପରିଚୟ ବହନ କରେ ।ଶିକ୍ଷାକ୍ଷେତ୍ରରେ ଜ୍ଞାନର ସଂଗମକୁ ଏହା ଉତ୍ସାହିତ କରିବା ସହ ବିଭିନ୍ନ ସଂସ୍କୃତି ମଧ୍ୟରେ ବୁଝାମଣାକୁ ପ୍ରୋତ୍ସାହିତ କରିବ । ଏହା ମଧ୍ୟ ଦେଶ-ଦେଶ ମଧ୍ୟରେ ଲୋକସ୍ତରୀୟ ସଂପର୍କ ବୃଦ୍ଧିରେ ସହାୟକ ହେବ । ଏହି ଅନୁଷ୍ଠାନର ୨୫୦୦୦ରୁ ଅଧିକ ପୂର୍ବତନ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନେକ ଉଦ୍ୟୋଗ ଜଗତ, ଶିକ୍ଷା, ଗବେଷଣା ଆଦି କ୍ଷେତ୍ରରେ ଦେଶ ବିଦେଶରେ ନେତୃତ୍ୱ ସ୍ଥାନରେ ରହିଛନ୍ତି । ଏହି ମର୍ୟ୍ୟାଦାପୂର୍ଣ୍ଣ ଅନୁଷ୍ଠାନର ପ୍ରାକ୍ତନ ଛାତ୍ରଛାତ୍ରୀ ଏନ୍ଆଇଟି ରାଉରକେଲାର ବିଦ୍ୟାର୍ଥୀଙ୍କ ପାଇଁ ନିଶ୍ଚୟ ପ୍ରେରଣାର ଉତ୍ସ ହେବେ । ମୁଁ ନିଶ୍ଚିତ ଯେ ଆଜି ଯେଉଁ ଛାତ୍ରଛାତ୍ରୀ ସ୍ନାତକ ହେବେ ସେମାନେ ଅନୁଷ୍ଠାନର ସେହି ଉଚ୍ଚ ପରମ୍ପରାକୁ ବଜାୟ ରଖିବେ ।
ପ୍ରିୟ ଛାତ୍ରଛାତ୍ରୀ,
ସ୍ନାତକତ୍ୱ ଲାଭ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ପାହାଚ । ମୁଁ ନିଶ୍ଚିତ ଯେ ଆପଣମାନେ ସମସ୍ତେଏହି ପର୍ୟ୍ୟାୟରେ ପହଞ୍ଚିବା ପାଇଁ କଠୋର ପରିଶ୍ରମ କରିଥିବେ । ଆହୁରି ମଧ୍ୟ ବିଶ୍ୱ ପାଇଁ ଅବଦାନ ରଖି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ଆପଣମାନେ ବିଶେଷ ଆଗ୍ରହୀ ଥିବେ ବୋଲି ମୋର ବିଶ୍ୱାସ । ଆଜି ଆପଣମାନେ ଅସଂଖ୍ୟ ସ୍ମୃତିବହନ କରୁଥିବେ । ମୁଁଜାଣିବାକୁ ପାଇଲି ଯେ ଆପଣଙ୍କର ଏହି ସୁନ୍ଦର କ୍ୟାମ୍ପସରେ ଅତିରିକ୍ତ ପାଠ୍ୟକ୍ରମର ଅନେକ ସୁବିଧା ରହିଛି । ବିତର୍କ, ନାଟକ, ସଂଗୀତ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ୟ୍ୟକ୍ରମ ପାଇଁ ଏଠାରେ ଅନେକ କ୍ଲବ ରହିଛି । ମୁଁ ଜାଣିବାକୁ ପାଇଲି ଯେ, ଏଠାରେ ମଧ୍ୟ ମାଭେରିକ୍ସ ଓ ପାଣ୍ଟୋମାଇମ୍ ଭଳିବେଶ୍ ମଜାଦାର ନାମ ସବୁ ଏଠାରେ ରହିଛି । ଆହୁରି ମଧ୍ୟ ଜାଣିବାକୁ ପାଇଲି ଏଠାରେ ଏପରି କ୍ୟାଣ୍ଟିନ ରହିଛି, ଯାହାର ନାମ ହେକ୍ସାଗନ । ସେହି ଭଳି ହୋମିଭାବାଙ୍କ ଭଳି ପ୍ରସିଦ୍ଧ ନାମବହନ କରୁଥିବା କ୍ୟାଣ୍ଟିନ ମଧ୍ୟ ଏଠାରେ ରହିଛି । ଅବଶ୍ୟ ଲୋକେ ଏହାକୁ ସଂକ୍ଷେପରେ ଏଚ୍ବି କ୍ୟାଣ୍ଟିନ କହିଥାନ୍ତି ।
ଏହି ସ୍ୱଳ୍ପ ଆନନ୍ଦ ଓ ବିଷାଦ, ଯାହା ଆପଣ ଏଠାରେ ଅନୁଭବ କରୁଛନ୍ତି ତାହା ବାହାରେ ଏକ ବିରାଟ ଦାୟିତ୍ୱ ରହିଛି । ସେ ଦାୟିତ୍ୱ ଆପଣଙ୍କୁ ନିର୍ବାହ କରିବାକୁ ପଡିବ । ଆପଣମାନଙ୍କର ଶିକ୍ଷା ଓ ସଫଳତା ପାଇଁ ଦେଶ ଓ ସମାଜ ଯାହା ଦେଇଛି ତାହା ଆପଣଙ୍କୁ ପ୍ରତିଦାନରେ ଫେରାଇବାକୁ ହେବ । ଆପଣମାନଙ୍କ ମଧ୍ୟରୁ କେତେକ ଚାକିରି କରିପାରନ୍ତି । ଆଉ କେତେକ ଉଚ୍ଚ ଶିକ୍ଷା ପାଇଁ ଯାଇପାରନ୍ତି । ନିଜ ଜୀବନର ଯେଉଁ ପର୍ୟ୍ୟାୟରେ ଆପଣମାନେ ନିଜକୁ ପାଇଛନ୍ତି ସେଠି ବାସ୍ତବରେ ଅନେକ ସ୍ୱପ୍ନ ଓ ଅଭିଳାଷା ରହିଛି । ଅନ୍ୟପଟରେ ମଧ୍ୟ ଏହି ପର୍ୟ୍ୟାୟରେ ଅନିଶ୍ଚିତତା ଓ ଆଶଙ୍କାର ମଧ୍ୟ ଅବକାଶ ଅଛି । ଏହି ସମୟ ଜୀବନର ବଡ଼ ନିଷ୍ପତ୍ତି ନେବାର କ୍ଷଣ । ନୂଆ ଚାକିରି ଆରମ୍ଭ କରିବା ସ୍ୱପ୍ନ ସାକାର ପାଇଁ ଉଦ୍ୟମ ଚଳାଇବା, ପରିବାରକୁ ସହାୟତା ଦେବା ବା ଅନ୍ୟ କିଛି ନୂଆ କରିବା ଏହି ପର୍ୟ୍ୟାୟରେ ଆରମ୍ଭ ହୋଇଥାଏ । ଏସବୁ କରିବା ଭିତରେ ଆପଣମାନେ ସମସ୍ତେ ଆତ୍ମନିରୀକ୍ଷଣ କରିବାକୁ ମୁଁ ପ୍ରସ୍ତାବ ଦେଉଛି ଜୀବନରେ କେଉଁ ମୂଲ୍ୟବୋଧ ଓ ନୀତି ଉପରେ ଆପଣ ଦଣ୍ଡାୟମାନ ? ଆପଣ କିପରି ବୃତ୍ତି ଗ୍ରହଣ କରିବାକୁ ଚାହୁଁଛନ୍ତି ? ଆପଣ କିପରି ବ୍ୟକ୍ତି ହେବାକୁ ଚାହାନ୍ତି ? କାରଣ ଆପଣ କିପରି ଲୋକ ହେବାକୁ ଚାହାନ୍ତି ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ମୁଁ ଜାଣେ ପ୍ରତ୍ୟେକ ବ୍ୟକ୍ତି ଜଣେ ସୁନାଗରିକ ହେବାକୁ ଚାହାନ୍ତି । ପ୍ରତ୍ୟେକ ଉତ୍ତମ ନାଗରିକ ଦେଶର ସ୍ୱାର୍ଥକୁ ସର୍ବଦା ଅଗ୍ରାଧିକାର ଦେଇଥାନ୍ତି ।
ମୋର ପ୍ରସ୍ତାବନା ହେଲା ଆପଣମାନେ ଜୀବନ ସାରା ମହାତ୍ମାଗାନ୍ଧୀଙ୍କ ପ୍ରଖ୍ୟାତତାବିଜ କଥା ସ୍ମରଣ କରନ୍ତୁ । ଏହି ତାବିଜର ବାର୍ତ୍ତା ହେଲା ଆପଣ କୌଣସି କାର୍ୟ୍ୟ କରିବା ବେଳେ ଆପଣ ଦେଖିଥିବା ଦରିଦ୍ରତମ ଓ ଦୁର୍ବଳତମ ବ୍ୟକ୍ତିଟିର ମୁହଁ ମନେ ପକାନ୍ତୁ । ଆପଣଙ୍କ କାର୍ୟ୍ୟ ଦ୍ୱାରା ସେ ଲୋକଟିର କିଛି ଉପକାର ହେବ କି ନାହିଁ ସେ କଥା ଭାବନ୍ତୁ । ଆପଣଙ୍କ କାମ ଦ୍ୱାରା ସେହି ଲୋକଟିର ଭାଗ୍ୟରେ ପରିବର୍ତ୍ତନ ଘଟେ ବୋଲି ଆପଣ ଯଦି ବିଚାର କରନ୍ତି, ତଦନୁସାରେ କାର୍ୟ୍ୟ କରନ୍ତୁ । ଆପଣମାନଙ୍କୁ ମୋର ପରାମର୍ଶ ହେଲା, ବସ୍ତୁବାଦୀ ଲାଭରେ ନିଜର ସଫଳତାକୁ ବିଚାର କରନ୍ତୁ ନାହିଁ । ସାମାଜିକ ଏବଂ ପାରମ୍ପରିକ ସଫଳତାର ବିଚାରଜନିତ ଚାପ ଭିତରେ ନିଜକୁ ସଂକୁଚିତ ନ ରଖି ତାହାଠାରୁ ଉପରକୁ ଉଠନ୍ତୁ । ନିଜ ଜୀବନରେ ଆପଣ ଯଥାର୍ଥରେ କ’ଣ କରିବାକୁ ଚାହାନ୍ତି ତାହା ସ୍ଥିର କରନ୍ତୁ । ଯେଉଁ କାମରେ ନିଜକୁ ଆତ୍ମସନ୍ତୋଷ ଓ ଖୁସି ମିଳୁଛି ସେହି କାମ ବାଛନ୍ତୁ ଏବଂ ଏହା ହିଁ ଆପଣଙ୍କୁ ପୂର୍ଣ୍ଣତା ଆଣି ଦେଇପାରିବ । ଯାହା ଆପଣଙ୍କୁ ଆକାଂକ୍ଷାର ନିକଟବର୍ତ୍ତୀ କରି ପାରିବ ତାହା ହିଁ କରନ୍ତୁ । ଯେଉଁ କାର୍ୟ୍ୟ ଦ୍ୱାରା ଆପଣଙ୍କ ପରିବାର ଗର୍ବିତ ହୋଇପାରିବେ ସେହି କାମ କରନ୍ତୁ । ନିଜର ଏକ ଫଳପ୍ରଦ, ସଫଳମାର୍ଗ ନିଜେ ପ୍ରସ୍ତୁତ କରି ସେଥିରେ ଆଗେଇ ଚାଲନ୍ତୁ ।
ଏହା ଆପଣଙ୍କର ପରିବାର, ବନ୍ଧୁବାନ୍ଧବ, ଅଭିଭାବକ ଓ ଦିଗ୍ଦର୍ଶକମାନଙ୍କ ପାଇଁ ମଧ୍ୟ ଆନନ୍ଦ ଓ ସନ୍ତୋଷରକ୍ଷଣ । ସେମାନେ ଆପଣଙ୍କ ଯାତ୍ରାରେ ଅନେକ ସହଯୋଗ ଯୋଗାଇଛନ୍ତି । ସବୁ ଡିଗ୍ରୀଧାରୀ ଏବଂ ପଦକ ବିଜେତା ଯେଉଁମାନେ ଏଠି ଉପସ୍ଥିତ ଅଛନ୍ତି ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ଜାଣିବାକୁ ପାଇଲି ଯେ ଏଠାରେ ପାଠ ପଢୁଥିବା ୭୧୧୬ ବିଦ୍ୟାର୍ଥୀଙ୍କ ମଧ୍ୟରୁ ୧୫୧୮ ବା ପ୍ରାୟ ୨୧ ଶତାଂଶ ଛାତ୍ରୀ । ମୁଁ ଦେଖୁଛି ଆଜି ୭ଟି ସ୍ୱର୍ଣ୍ଣପଦକ ମଧ୍ୟରୁ ୩ଟି ଛାତ୍ରୀମାନେ ପାଇଛନ୍ତି । ଭାରତର ରାଷ୍ଟ୍ରପତି ଭାବରେ ମୁଁ ଦେଶର ପ୍ରାୟ ୧୫୦ କେନ୍ଦ୍ରୀୟ ଅନୁଷ୍ଠାନର ଭିଜିଟର ବା ପରିଦର୍ଶକ । ଅଧିକାଂଶ ସମାବର୍ତ୍ତନ ଉତ୍ସବରେ ଯେଉଁଠି ଯୋଗ ଦେଇଛି ମୁଁ ଦେଖିବାକୁ ପାଇଛି ଯେ ଆମ ଝିଅମାନେ ପୁଅମାନଙ୍କ ତୁଳନାରେ ଭଲ ପ୍ରଦର୍ଶନ କରୁଛନ୍ତି । ସେମାନେ ଉଦାରକଳା, ମନୁଷ୍ୟ ଜାତି ସମନ୍ଧୀୟ ବିଜ୍ଞାନ ଓ କଳା, ଭେଷଜ ବିଜ୍ଞାନ, ଆଇନ ଏବଂ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିବା ସହ ସ୍ୱର୍ଣ୍ଣପଦକ ଲାଭ କରୁଛନ୍ତି । ଏହା ଏକ ଆନନ୍ଦଦାୟକ ଧାରାଏବଂ ଆମ କନ୍ୟାମାନଙ୍କର ଦକ୍ଷତାକୁ ପ୍ରତିପାଦନ କରୁଛି ।
ତେବେ ସେ ଯାହାହେଉ ଏହା ଅନୁଭୂତ ହେଉଛି ଯେ ବୈଷୟିକ ଓ ବୈଜ୍ଞାନିକ ଶିକ୍ଷାରେ ଝିଅମାନଙ୍କ ନାମଲେଖା ଓ ପାଠ ପଢା ହାର କମ୍ ରହୁଛି । ନିକଟରେ ହୋଇଥିବା ଏକ ସର୍ଭେ ଅନୁସାରେ ଭାରତରେ ଇଂଜିନିୟରିଂ ଓ ଟେକ୍ନିକାଲ ପ୍ରତିଷ୍ଠାନରେ ଝିଅମାନଙ୍କ ନାମଲେଖା ହାର ମାତ୍ର ୨୦ ଶତାଂଶ । ଆମ ଝିଅମାନେ ଏ କ୍ଷେତ୍ରରେ ଅଧିକରୁ ଅଧିକ ନାମ ଲେଖାଇ ଅନ୍ୟାନ୍ୟ କ୍ଷେତ୍ରଭଳି ଉତ୍କର୍ଷ ପ୍ରତିପାଦନ କରିବାକୁ ସେମାନଙ୍କୁ ପ୍ରୋତ୍ସାହିତ କରାଯିବାର ଆବଶ୍ୟକତା ରହିଛି । ଉଚ୍ଚତ୍ତରଶିକ୍ଷା, ବିଶେଷ କରି ଇଂଜିନିୟରିଂ, ବିଜ୍ଞାନ, ଟେକ୍ନୋଲୋଜି ଓ ଗଣିତ ଆଦି କ୍ଷେତ୍ରରେ ଝିଅମାନଙ୍କର ଅଧିକ ପ୍ରତିନିଧିତ୍ୱର ଆବଶ୍ୟକତା ରହିଛି । ବୈଷୟିକ କ୍ଷେତ୍ରରେ ମହିଳାମାନଙ୍କର ଅଭିବୃଦ୍ଧି ଓ ଉକ୍ରର୍ଷ ଆମ ଜାତୀୟ ବିକାଶକୁ ନୂଆ ଦିଗ୍ଦର୍ଶନ ଦେବ । ଏହାବିଜ୍ଞାନ ଓ କାରିଗରୀ ଭଳି ଉଚ୍ଚସ୍ତରରେ ଲିଙ୍ଗଗତ ସଶକ୍ତୀକରଣକୁ ମଜଭୁତ କରିବ । ଆହୁରି ମଧ୍ୟ ଏକ ବିଂଶ ଶତାବ୍ଦୀରେ ମହିଳାମାନେ ନୂଆ ଉଚ୍ଚତାକୁ ସ୍ପର୍ଶ କରି ସେ କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ ଭାଙ୍ଗିପାରିବେ ।
ଜାତୀୟ ଶିକ୍ଷାନୀତି ୨୦୨୦ର କାର୍ୟ୍ୟକାରିତା ପୂର୍ବରୁ ମୁଁ ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନର କୁଳପତି ଏବଂ ନିର୍ଦେଶକ ମାନଙ୍କ ସହ ଆଲୋଚନା ଓ ମତ ବିନିମୟ କରିଥିଲି । ଏହି ଶିକ୍ଷାନୀତିରେ ଉଲ୍ଲେଖ ଅଛି ଯେ ଇଂଜିନିୟରିଂ ପ୍ରତିଷ୍ଠାନଗୁଡିକ ଅଧିକ ସାମଗ୍ରିକ ଏବଂ ବହୁ ବିଷୟକ ଶିକ୍ଷା ବ୍ୟବସ୍ଥା ପ୍ରବର୍ତ୍ତନ କରିବା ଉଚିତ । ଆହୁରି ମଧ୍ୟ କଳା ଓ ମାନବୀୟ ବିଜ୍ଞାନ ବିଷୟକ ଶିକ୍ଷା ଉପରେଏହା ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ।ମୁଁ ଜାଣି ଖୁସି ହେଲି ଯେ ଏନଆଇଟି ରାଉରକେଲା ଇତିମଧ୍ୟରେ ଏ ଦିଗରେ ଅନେକ କିଛି କାର୍ୟ୍ୟକ୍ରମ ଆରମ୍ଭ କରିଛି । ମୁଁ ନିଶ୍ଚିତ ଯେ ଆପଣମାନେ ଏହି ପ୍ରକ୍ରିୟାକୁ ଆହୁରି ଆଗକୁ ନେବା ସହିତ ଜାତୀୟ ଶିକ୍ଷା ନୀତିର ସୁପାରସିଗୁଡିକୁ କାର୍ୟ୍ୟକାରୀ କରିବେ ଏବଂ ଏକବିଂଶ ଶତାବ୍ଦୀରେ ଭାରତକୁ ବିଶ୍ୱର ଜ୍ଞାନଶକ୍ତିରେ ପରିଣତ କରିବାରେ ସହାୟକ ହେବେ । ଏହି ଜାତୀୟ ଲକ୍ଷ୍ୟ ହାସଲରେ ଏନ୍ଆଇଟି ରାଉରକେଲା ଭଳି ଅନୁଷ୍ଠାନ ଗୁଡିକୁ ଏକ ବଡ଼ ଭୂମିକା ନିର୍ବାହ କରିବାକୁ ପଡିବ ।
ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ସୁଖି, ସଫଳ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି । ମୁଁ ମଧ୍ୟ ଏହି ଅନୁଷ୍ଠାନର ଶିକ୍ଷକ, ଅଣଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀମାନଙ୍କର ପରିବାର ସଦସ୍ୟ, ଅଭିଭାବକମାନଙ୍କୁ ଆଜିର ଏହି ସ୍ମରଣୀୟ ଦିବସରେ ଅଭିନନ୍ଦନ ଜଣାଉଛି ।
ଧନ୍ୟବାଦ । ଜୟହିନ୍ଦ୍ ।