ମୃତ୍ତିକା ସଂରକ୍ଷଣ ବିଭାଗରେ ମନରେଗା ଘୋଟାଲା : ୪୦ ଲକ୍ଷର ପ୍ରକଳ୍ପରୁ ନକଲି ହିତାଧିକାରୀଙ୍କ ନାଁରେ ୭ଲକ୍ଷ ଚଳୁ, ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲା ଭିଜିଲାନ୍ସ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଙ୍କୁଲେଇ ପଞ୍ଚାୟତ ଅନ୍ତର୍ଗତ ରାଉତପଡା ଗ୍ରାମର ୧୧ଜଣ ଚାଷୀଙ୍କ ନାଁରେ ସେମାନଙ୍କ ଜମିରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୨୦୧୮/ ୧୯ ଆର୍ଥିକ ବର୍ଷ ୪୦ ଲକ୍ଷ ୭୩ ହଜାର ଟଙ୍କା ଅଟକଳ ବ୍ୟୟରେ ଏକ ଆମ୍ବ ବଗିଚା ପ୍ରକଳ୍ପ କାର୍ୟ୍ୟକାରୀ ହୋଇଥିଲା । ତେବେ ଏଥିରେ ନିୟୋଜିତ ଶ୍ରମିକଙ୍କ ବଦଳରେ ଚଞ୍ଚକତା କରି ଅନ୍ୟ ପଞ୍ଚାୟତର ୪ଟି ଗ୍ରାମର ଲୋକଙ୍କୁ ଶ୍ରମଜୀବି ଦର୍ଶାଇ ସେମାନଙ୍କ ନାଁରେ ମିଥ୍ୟା ବିଲ ଜରିଆରେ ୭ ଲକ୍ଷ ଟଙ୍କା ବିଭାଗୀୟ ଅଧିକାରୀ ଓ ଦଲାଲ ଚଳୁ କରିଥିବା ନେଇ ଚାଷୀ ମାନେ ବୁଧବାର ୧୭ ତାରିଖରେ ବୌଦ୍ଧ ଭିଜିଲାନ୍ସ ଅଫିସରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଗୁରୁବାର ଘଟଣା ସ୍ଥଳରେ ପହଞ୍ଚି ଭିଜିଲାନ୍ସ ବିଭାଗର ଅଧିକାରୀ ଏହାର ସରଜମିନ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଆସିଥିବା ଟିମ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଉକ୍ତ ଆମ୍ବ ବଗିଚାକୁ ତଦାରଖ କରିବା ସହ ଅଭିଯୋଗ ଆଣିଥିବା ଚାଷୀ ଓ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରି ଫେରିଥିବା ଜଣାପଡିଛି । ଚାଷୀ ମାନଙ୍କର କହିବାନୁମତେ ଏହି ଆମ୍ବ ବଗିଚାରେ ନିୟୋଜିତ ହୋଇଥିବା ଶ୍ରମିକ ମାନଙ୍କୁ ସେମାନଙ୍କର ପ୍ରାପ୍ୟ ମଜୁରୀ ପ୍ରଦାନ କରିବା ପାଇଁ ଏହି ଚାଷୀ ମାନେ ବାରମ୍ବାର ଜିଲ୍ଲା ମହକୁମାରେ ଥିବା ବିଭାଗୀୟ ପିଡିଙ୍କୁ ଦେଖାକରି ଜଣାଇଥିଲେ ମଧ୍ୟ ସେଥିରେ କୌଣସି ସୁଫଳ ମିଳିନଥିଲା । ଓଲଟି ସେହି ଆମ୍ବ ବଗିଚା ପ୍ରକଳ୍ପରେ କାର୍ୟ୍ୟ କରିଥିବା ଦର୍ଶାଇ ପ୍ରାୟ ୧୦ରୁ ୧୨କିମି ଦୂରବର୍ତ୍ତୀ ଧଳପୁର ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକଙ୍କୁ ଶ୍ରମିକ ଦର୍ଶାଇ ସେମାନଙ୍କ ନାଁରେ ଅର୍ଥ ହରିଲୁଟ କରିଥିବା ଅଭିଯୋଗ କରି ଚାଷୀମାନେ ମୃତ୍ତିକା ସଂରକ୍ଷଣ କାର୍ୟ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ । ତେବେ ଭିଜିଲାନ୍ସ ବିଭାଗ ତଦନ୍ତ କରି କି ପଦକ୍ଷେପ ନେଉଛି ତାକୁ ଜାଣିବା ପାଇଁ ବିଭିନ୍ନ ମହଲର ।

Leave A Reply

Your email address will not be published.