ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଛତିଶଗଡ ସୀମାନ୍ତବର୍ତ୍ତୀ ଚର୍ଦାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମକୁ ପରିଦର୍ଶନରେ ଯାଇ ଗ୍ରାମବାସୀଙ୍କ ଠାରୁ ତାଙ୍କର ସୁବିଧା ଅସୁବିଧା ସମ୍ପର୍କରେ, ସରକାରୀ ଯୋଜନାର ରୂପାୟନ ଉପରେ ପ୍ରତ୍ୟକ୍ଷ ଭାବରେ ପଚାରି ବୁଝିଥିଲେ । ସୀମାନ୍ତବର୍ତ୍ତୀ ଗୁଣ୍ଡିଚାଡିହି ଗ୍ରାମ ପରିଦର୍ଶନ ସମୟରେ ଗ୍ରାମର ନିରାକାର ମିର୍ଦ୍ଧା, ନିରାବଳି ମିର୍ଦ୍ଧା, ଗୋମତି ପଟ୍ଟନିଆ, ପୀରବତୀ ତାମିଲିଆ, ଯମୁନା କୁମରିଆ ପ୍ରମୁଖ ଗ୍ରାମବାସୀଙ୍କ ଠାରୁ ତାଙ୍କର ସୁବିଧା ଅସୁବିଧା ସମ୍ପର୍କରେ ତଥା ସରକାରୀ ଯୋଜନାର କାର୍ୟ୍ୟକାରିତା ବିଷୟରେ ପଚାରିଥିଲେ ବୁଝିଥିଲେ । ଗ୍ରାମରେ ଆବାସ ଯୋଜନା, ବିଦ୍ୟୁତିକରଣ, ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ, ସାମାଜିକ ସୁରକ୍ଷା ଯୋଜନା, ମନରେଗା ଯୋଜନା, ସାଧାରଣ ବଣ୍ଟନ ବ୍ୟବସ୍ଥା ଉପରେ ଗ୍ରାମବାସୀଙ୍କ ଠାରୁ ଟିକିନିକି ଭାବେ ବୁଝାବୁଝି କରିଥିଲେ । ଏହାପରେ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଚର୍ଦାପାଲି ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନରେ ଯାଇ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସେମାନେ କେମିତି ଅଛନ୍ତି, ପାଠପଢ଼ା ପଢ଼ି କେମିତି ଚାଲିଛି ତଥା ଅନ୍ୟାନ୍ୟ ଅସୁବିଧା ସୁବିଧା ଅସୁବିଧା ଉପରେ ବୁଝାବୁଝି କରିଥିଲେ । ଶ୍ରେଣୀ ଗୃହ ସହିତ, ସ୍କୁଲ ପରିସର ପରିଦର୍ଶନ କରି ଏହାକୁ ଭଲ ଭାବରେ ସଫାସୁତୁରା କରିବା ସହିତ ଛାତ୍ରଛାତ୍ରୀମାନଙ୍କର ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବାକୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସ୍କୁଲ ପରିଦର୍ଶନ ସମୟରେ ବରିଷ୍ଠ ଶିକ୍ଷକ ମନୋଜ ମହାନନ୍ଦ ସ୍କୁଲର ସୁବିଧା ଅସୁବିଧା ଉପରେ ଜିଲ୍ଲାପାଳ ଶ୍ରୀ ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ଜିଲ୍ଲାପାଳ ମହୋଦୟ ଚଙ୍ଗରିଆ ଗ୍ରାମ ପରିଦର୍ଶନରେ ଯାଇ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିବା ସହିତ ପାଇପ ପାଣି ଯୋଗାଣ ଏବଂ ନଳକୂପ ମରାମତି ଉପରେ ପଚାରିଥିଲେ । ଚଙ୍ଗରିଆ ଗ୍ରାମରେ ବିଭିନ୍ନ ସରକାରୀ ଯୋଜନାର ଉପଲବ୍ଧି ସମ୍ପର୍କରେ ପ୍ରତ୍ୟକ୍ଷ ଭାବରେ ଗ୍ରାମବାସୀଙ୍କ ଠାରୁ ପଚାରି ବୁଝିଥିଲେ । ଏହାପରେ ଜିଲ୍ଲାପାଳ ଚର୍ଦାପାଲି ଗ୍ରାମ ପରିଦର୍ଶନ କରି ଜନସାଧାରଣଙ୍କୁ ସରକାରୀ ଯୋଜନାର ରୂପରେଖ ଉପରେ ବୁଝିଥିଲେ । ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିବା ସହ ଚର୍ଦାପାଲି ଗ୍ରାମପଞ୍ଚାୟତ କାର୍ୟ୍ୟାଳୟ ଠାରେ ବିଭିନ୍ନ ଗ୍ରାମର ଲୋକମାନେ ଜିଲ୍ଲାପାଳଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ଗମନାଗମନ ଓ ଅଙ୍ଗନଦୀ ଉପରେ ପୋଲ ନିର୍ମାଣ କରିବା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ପରେ ଜିଲ୍ଲାପାଳ ପହଣ୍ଡିପୁର ଗ୍ରାମ ପରିଦର୍ଶନ କରି ଜନସାଧାରଣଙ୍କ ବିଭିନ୍ନ ସମସ୍ୟା, ଅସୁବିଧା ସୁବିଧା ଉପରେ ବୁଝିଥିଲେ । ଗ୍ରାମରେ ଆବାସ ଯୋଜନା, ବିଦ୍ୟୁତିକରଣ, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ସମସ୍ୟା, ସାମାଜିକ ସୁରକ୍ଷା ଯୋଜନା ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥା ଉପରେ ଲୋକ ମାନଙ୍କ ଠାରୁ ବୁଝିଥିଲେ । ଲହଣ୍ଡିପୁର ଗ୍ରାମର ଜଣେ ହିତାଧିକାରୀ ପୁରନ କୁମ୍ଭାରଙ୍କୁ ଏକ ଟ୍ରାଇ ସାଇକେଲ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଲହଣ୍ଡିପୁର ଗ୍ରାମର କେତେକ ମହିଳା ରାସ୍ତାର ଉନ୍ନତିକରଣ ସହିତ ଲଖମରା ନିକଟରେ ପୋଲ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଲୁହୁରାକୋଟ ଗ୍ରାମ ପରିଦର୍ଶନ କରି ଗ୍ରାମର ଅଧିବାସୀ ମାନଙ୍କ ସହିତ ସରକାରଙ୍କ ବିଭିନ୍ନ ଯୋଜନାର ରୂପାୟନ ଉପରେ ପଚାରି ବୁଝିବା ସହିତ ସ୍ୱାସ୍ଥ୍ୟ ସେବା, ଶିକ୍ଷା ଇତ୍ୟାଦି ବିଭିନ୍ନ ବିଷୟରେ ଲୋକଙ୍କ ସହ ଆଲୋଚନା କରିଥିଲେ । ଲୁହୁରାକୋଟରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ଯୋଜନାର କାର୍ୟ୍ୟକାରିତା ଉପରେ ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ପଚାରି ବୁଝିଥିଲେ । ବିଭିନ୍ନ ଗ୍ରାମ ପରିଦର୍ଶନ ସମୟରେ ବାକି ରହିଯାଇଥିବା ଯୋଗ୍ୟ ହିତାଧିକାରୀ ମାନଙ୍କୁ ସାମାଜିକ ସୁରକ୍ଷା ଯୋଜନା ତଥା ଅନ୍ୟାନ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପାଇକମାଲ ବି.ଡି.ଓ ସୁରେନ୍ଦ୍ର କୁମାର ମେହେରଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଏହା ସହିତ ସୀମାନ୍ତ ଅଞ୍ଚଳରେ ପ୍ରଶାସନ ତରଫରୁ ବିଭିନ୍ନ ସମୟରେ କ୍ୟାମ୍ପ ମାନ କରାଯାଇ ଜନସାଧାରଣଙ୍କ ସମସ୍ୟା ଓ ନିରାକରଣ ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ପ୍ରଧାନଙ୍କ ଏକ ଦିନିଆ ଗସ୍ତ ସମୟରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ପାଇକମାଲ, ଚର୍ଦାପାଲି ଗ୍ରାମପଞ୍ଚାୟତ ସରପଞ୍ଚ ଗିରିଶ ଚନ୍ଦ୍ର ନାଏକ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ପାଇକମାଲ ବ୍ଳକର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
Next Post