ପୋଲିସ ହାତରେ ଧରାପଡ଼ିଲା ଚୋର : ଚୋରି ସାମଗ୍ରୀ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୋଲିସ ହାତରେ ଧରାପଡ଼ିଛି ଜଣେ ଚୋର । ତା’ଠାରୁ ଚୋରି ସାମଗ୍ରୀ ମଧ୍ୟ ଜବତ୍‌ କରିବାରେ ବଲାଙ୍ଗିର ଟାଉନ୍‌ ପୋଲିସକୁ ସଫଳତା ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ସ୍ଥାନୀୟ ରାଜୀବନଗର ନିବାସୀ ମହେନ୍ଦ୍ର କୁମାର ପଣ୍ଡା ସେ ଘରେ ଅନୁପସ୍ଥିତ ଥିବା ବେଳେ ଗତ ୨୫ ତାରିଖ ଦିନ ତାଙ୍କ ଘରର ତାଲା ଭାଙ୍ଗି ଆଲ୍‌ମିରାରୁ ୪ ତୋଳା ସୁନା, ୧୫ ହଜାର ଟଙ୍କା ଏବଂ ଏକ ପୋକୋ ସି୩ ମୋବାଇଲ୍‌ ଫୋନ୍‌ କେହି ଜଣେ ଦୁର୍ବୃତ୍ତ ଚୋରି କରି ନେଇଥିବା ଆଦର୍ଶ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି କେସ ନଂ.୧୪୧/୨୬.୨.୨୦୨୧ ଦଫା ୪୫୭/୩୮୦ ଆଇପିସି ଆଧାରରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ତେବେ ଏହି ଚୋରି ଘଟଣାରେ ସ୍ଥାନୀୟ ଡେମ୍‌ପଡ଼ା ନିବାସୀ ରାଜେଶ ସେଠ(୨୦) ସଂପୃକ୍ତ ଥିବା ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ରାଜେଶର ଘର ଉପରେ ଚଢ଼ଉ କରି ତାକୁ ଗିରଫ୍‌ କରାଯାଇଥିଲା । ପଚରା ଉଚୁରା ବେଳେ ରାଜେଶ ରାଜୀବନଗରର ରୋସନ ସେଠ ସହ ମିଶି ଚୋରି କରିଥିବା ଓ ଚୋରି ସାମଗ୍ରୀ ଦୁହେଁ ଭାଗବଣ୍ଟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିବା ସୂଚନାରେ କୁହାଯାଇଛି । ଅଭିଯୁକ୍ତଠାରୁ ଗୋଟିଏ ପୋକୋ ସି୩ ମୋବାଇଲ୍‌ ଫୋନ୍‌, ଗୋଟିଏ ସୁନାର ନାକ ଫୁଲ, ଗୋଟିଏ ରୂପା ଚେନ, ଏକ ପାୱାର୍‌ ବ୍ୟାଙ୍କ, ଗୋଟିଏ ସୁନା ଚେନ୍‌ ଓ ଗୋଟିଏ କାନ ଫୁଲ ଜବତ୍‌ କରାଯାଇଛି । ଏହି ମାମଲାର ତଦନ୍ତ ଦାୟିତ୍ୱ ଏଏସ୍‌ଆଇ ରଘୁମଣି ମିର୍ଦ୍ଧା ନେଇଥିବା ବେଳେ ଏ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ।

Leave A Reply

Your email address will not be published.