ବରଗଡ଼ର ସ୍ୱାତୀ କୌର : ଶ୍ରୀମତୀ ଭାରତ ପ୍ରତିଯୋଗୀତାରେ ମିସେସ ଡ଼େଜଲିଙ୍ଗ ପାର୍‌ଫର୍‌ମର୍‌ ଘୋଷିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ର ଝିଅ ସ୍ୱାତୀ କୌର ନିକଟରେ ଗୁଜରାଟର ଅହମଦାବାଦ ଠାରେ ବିପିଆର ଏଣ୍ଟରଟେଣ୍ଟମେଣ୍ଟ ସଂସ୍ଥା ପକ୍ଷରୁ ଆୟୋଜିତ ଶ୍ରୀମତୀ ଭାରତ ପ୍ରତିଯୋଗୀତାରେ ମିସେସ ଡ଼େଜଲିଙ୍ଗ ପାରଫରମର ଘୋଷିତ ହୋଇଛନ୍ତି । ଏହାର ଫାଇନାଲ ଇଭେଣ୍ଟ ଅହମଦାବାଦ ଠାରେ ୧୭ ଫେବୃଆରୀରୁ ୨୦ ଫେବୃଆରୀ ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।ଏଥିରେ ଶତାଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ ସ୍ୱାତୀ ମିସେସ ଡ଼େଜଲିଙ୍ଗ ପାରଫରମର ଟାଇଟିଲ ହାସଳ କରିବାରେ ସକ୍ଷମ ହୋଇଥିଲେ । ସେ ଗୁଜରାଟରୁ ଫେରିବା ପରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ମହାରାଜା ହୋଟେଲ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ୱାତୀ ଗଣମାଧ୍ୟମ ସମ୍ମୁଖରେ ତାଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ, ନାରୀ ସଶକ୍ତିକରଣ ଲକ୍ଷ ନେଇ ପିଭିଆର ଏଣ୍ଟରଟେଣ୍ଟମେଣ୍ଟ ପକ୍ଷରୁ ପ୍ରତିବର୍ଷ ବିବାହିତା ମହିଳା ମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ଜାତୀୟ ସ୍ତରରେ ଏହି ସୌନ୍ଦର୍ୟ୍ୟ ଓ ଫେସନ ପ୍ରତିଯୋଗୀତା ଆୟୋଜିତ ହୋଇଥାଏ । ଏତଦ୍ୱାରା ସେମାନେ ବିଭିନ୍ନ କ୍ଷେତ୍ରରେ ସାଂସ୍କୃତିକ ରାଷ୍ଟ୍ରଦୂତ ରୂପେ ଦାୟିତ୍ୱ ନିର୍ବାହ କରିଥାନ୍ତି । ଏହା ବିବାହିତା ମହିଳାମାନଙ୍କ ପ୍ରିଭା ବିକାଶ ପାଇଁ ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରିଥାଏ ବୋଲି ସ୍ୱାତୀ କୌର ସୂଚନା ଦେବା ସହ ସେ ଗୌରବାନ୍ୱିତ ଅନୁଭବ କରିବା ସହ ଆଗେଇବା ପାଇଁ ପ୍ରେରଣା ଲାଭ କରିଛନ୍ତି ବୋଲି ସୂଚନା ଦେଇଥିଲେ । ସ୍ୱାତୀ ବରଗଡ଼ ସହରରେ ମହିଳା ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଜିମ ସ୍ଥାପନା କରିବା ସହ ଟ୍ରେନର ରୂପେ କାର୍ୟ୍ୟ କରିଥାନ୍ତି । ମହିଳା ମାନଙ୍କ ପାଇଁ ମାନସିକ ଦୃଢ଼ତା ସହ ଶାରୀରୀକ ସୌନ୍ଦର୍ୟ୍ୟ ମଧ୍ୟ ଆବଶ୍ୟକ ବୋଲି ସେ କହିଥାନ୍ତି । ସ୍ୱାତୀଙ୍କ ଏହି ସଫଳତା ଆଗାମୀ ଦିନରେ ମନୋରଞ୍ଜନକୁ କ୍ୟାରିଅର କରିବାକୁ ଚାହୁଥିବା ମହିଳାମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.