
- ୩ପ୍ଲାଟୁନ୍ ପୁଲିସ ଛାଉଣୀରେ ଘୁଷୁରାମୁଣ୍ଡା ଗାଁ
- ପୁଲିସ ଜଗିବେ ଅଙ୍ଗନୱାଡ଼ି କେନ୍ଦ୍ର
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବହୁଚର୍ଚ୍ଚିତ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ଘୁଷୁରାମୁଣ୍ଡା ୬ ନଂ ୱାର୍ଡ ଅଙ୍ଗନବାଡ଼ି କେନ୍ଦ୍ରରେ ଦଳିତ ପାଚିକା ଚୟନକୁ କେନ୍ଦ୍ର କରି ପ୍ରଥମେ ଗତ ଜୁଲାଇ ମାସରେ ଦୀର୍ଘ ୭ଦିନ ଧରି କେନ୍ଦ୍ରରେ ତାଲା ପଡ଼ିବା ପରେ ଦେଖାଦେଇଥିବା ଦୀର୍ଘଦିନର ବିବାଦରେ ଶେଷରେ ଏକ ସାମୟିକ ସମାଧାନର ବାଟ ବାହାରିଥିଲା । ଗ୍ରାମରେ ସୃଷ୍ଟି ହୋଇଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ସମସ୍ୟାର ସମାଧାନ ପାଇଁ ଉଚ୍ଚ ପ୍ରଶାସନିକ ଅଧିକାରୀମାନେ ସେଠାରେ ପହଞ୍ଚି ଆଦିବାସୀ ସମାଜର କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ସହ ବ୍ୟାପକ ବିଚାର ଆଲୋଚନା କରିଥିଲେ । ଶେଷରେ ଅଙ୍ଗନୱାଡ଼ି କେନ୍ଦ୍ରରୁ ତାଲା ଖୋଲାଯିବା ସହ ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ଗ୍ରାମର ମାତୃକମିଟି କୋମଳମତି ଶିଶୁଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଥିଲା । ଏହାପରେ ଅଙ୍ଗନୱାଡ଼ି କେନ୍ଦ୍ର ସୁରୁଖୁରୁରେ କିଛି ଦିନ ଚାଲିବା ପରେ ଗତ ଦେଢ଼ ମାସ ତଳେ ଗ୍ରାମବାସୀ ପୁଣି ଥରେ କେନ୍ଦ୍ରରେ ତାଲା ପକାଇ ପ୍ରତିବାଦ କରିଥିଲେ । ପ୍ରଶାସନ ପକ୍ଷରୁ ବାରମ୍ବାର ବୁଝାସୁଝା କରାଯାଇଥିଲେ ମଧ୍ୟ ଗ୍ରାମବାସୀ ତାଲା ଖୋଲିନଥିଲେ । ଏହାପରେ ବଲାଙ୍ଗିର ଏସ୍ପିଙ୍କ ନିର୍ଦ୍ଦେଶରେ ପାଚିକା ପୁଣ୍ୟ ହରପାଲଙ୍କ ଏତଲା ଆଧାରରେ ଘୁଷୁରାମୁଣ୍ଡା ଗ୍ରାମର ୮ଜଣଙ୍କ ନାମରେ ଥାନାରେ ବିଭିନ୍ନ ଦଫାରେ ମାମଲା ରୁଜ୍ଜୁ ହୋଇଥିଲା । ଏହାପରେ ମଧ୍ୟ ଗ୍ରାମବାସୀ ତାଲା ଖୋଲିନଥିଲେ । ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଚ ପ୍ରଶାସନିକ ଅଧିକାରୀ ଓ ୩ ପ୍ଲାଟୁନ ପୁଲିସ ଫୋର୍ସ ସହ ବୁଧବାର ଗ୍ରାମକୁ ପହଞ୍ଚି ଅଙ୍ଗନୱାଡ଼ି କେନ୍ଦ୍ରର ତାଲା ଭାଙ୍ଗି କେନ୍ଦ୍ରକୁ ଖୋଲିଥିଲେ । ଏହି ସମୟରେ ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ମାଜିଷ୍ଟ୍ରେଟ ଦାୟିତ୍ୱରେ କଣ୍ଟାବାଞ୍ଜି ତହସିଲଦାର ବିଶ୍ୱନାଥ ଖାଲକୋ, ଅତିରିକ୍ତ ଏସ୍ପି ଗୁଣନିଧି ମଲ୍ଲିକ, କଣ୍ଟାବାଞ୍ଜି ଏସ୍ଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି, ମୁରିବାହାଲ ଥାନା ଆଇଆଇସି ବୁଲୁ ମୁଣ୍ଡା, କଣ୍ଟାବାଞ୍ଜି ଥାନା ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ, ବଙ୍ଗୋମୁଣ୍ଡା ଥାନା ଆଇଆଇସି ସଞ୍ଜୀବ ପଧାନ, ତୁରେକେଲା ଥାନା ଆଇଆଇସି ରାକେଶ ବେହେରା, ସିଡିପିଓ ପୂର୍ଣ୍ଣିମା ବୈଠାରୁ, ସୁପରଭାଇଜର ସୀମା ନାଗ, ଅଙ୍ଗନୱାଡ଼ି କେନ୍ଦ୍ର କର୍ମୀ ଦେବକି ବାରିକ, ପାଚିକା ପୁଣ୍ୟ ହରପାଲ ଉପସ୍ଥିତ ଥିଲେ । ବୁଧବାର କେନ୍ଦ୍ରକୁ ମାତ୍ର ୩ଜଣ କୁନିକୁନି ଶିଶୁ ଆସିଥିବା ବେଳେ ସମସ୍ତଙ୍କ ପାଇଁ ଛତୁଆ ବଣ୍ଟନ କାର୍ଯ୍ୟକ୍ରମ ଥିବା ବେଳେ ତାହା ବଣ୍ଟନ ହୋଇପାରି ନାହିଁ ବୋଲି ସିଡ଼ିପିଓ ସୁଶ୍ରୀ ବୈଠାରୁ ପ୍ରକାଶ କରିଛନ୍ତି । ଗ୍ରାମବାସୀ ନିଜର କୌଣସି ଆପତ୍ତି ନ ଥିବା ପ୍ରକାଶ କରିଥିବା ବେଳେ ଉପଜିଲ୍ଲାପାଳ ଆମକୁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ପାଳନ କରିବେ ବୋଲି ପ୍ରକାଶ କରିଛନ୍ତି । କେନ୍ଦ୍ରରେ ପୂର୍ବ ପରି ମାତୃକମିଟି ରନ୍ଧା କାର୍ଯ୍ୟ ଜାରି ରଖିବେ ବୋଲି ଜଣାପଡିଛି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ପୁଲିସ କର୍ମଚାରୀ ଅଙ୍ଗନୱାଡ଼ି କେନ୍ଦ୍ରକୁ ଜଗି ରହିବେ ବୋଲି ଥାନା ଆଇଆଇସି ବୁଲୁ ମୁଣ୍ଡା ପ୍ରକାଶ କରିଛନ୍ତି ।