jayashree

ଜାତୀୟ ପ୍ରେସ୍‌ ଦିବସରେ ଗଠିତ ହେଲା ଜର୍ଣ୍ଣାଲିଷ୍ଟ ୟୁନିଅନ

  • ସଭାପତି ଭାବେ ମନୋନୀତ ହେଲେ ଅନିଲ କୁମାର ଖମାରୀ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଜାତୀୟ ପ୍ରେସ୍‌ ଦିବସ ଅବସରରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲସ୍ଥିତ ସୋମେଶ୍ୱର ବାବାଙ୍କ ପୀଠରେ ନୂତନ ଭାବେ ବଙ୍ଗୋମୁଣ୍ଡା ଜର୍ଣ୍ଣାଲିଷ୍ଟ ୟୁନିଅନ ଗଠନ କରାଯିବା ସହ ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଅତିଥି ଓ ସଂଘର ସଦସ୍ୟମାନେ ସୋମେଶ୍ୱର ବାବାଙ୍କ ଦର୍ଶନ କରିଥିଲେ। ପରେ ମଞ୍ଚାସୀନ ଅତିଥିମାନଙ୍କୁ ସ୍ୱାଗତ ଓ ସମ୍ମାନିତ କରାଯିବା ସହ ଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ବଙ୍ଗୋମୁଣ୍ଡା ବ୍ଲକର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଦେବଦତ୍ତ ସରାଫ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସାମାଜିକ କର୍ମୀ ଥବିର ଚନ୍ଦ୍ର ବାଗ ଓ ହରିଶ କୁମାର ବାରିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡ. ନାରାୟଣ ମିଶ୍ର ଯୋଗଦେଇ ସାମ୍ବାଦିକତାର ଗୁରୁତ୍ୱ, ସାମ୍ବାଦିକମାନଙ୍କ ଦାୟିତ୍ୱ ଓ ସମାଜ ପ୍ରତି ସେମାନଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ସାମ୍ବାଦିକମାନଙ୍କୁ ଉତ୍ସାହିତ କରିଥିଲେ । ପରେ ଜାତୀୟ ପ୍ରେସ ଦିବସ ଉପଲକ୍ଷେ କେକ୍ କାଟି ସାମ୍ବାଦିକମାନେ ଉତ୍ସାହ ଓ ଆନନ୍ଦର ସହ ଦିବସଟିକୁ ପାଳନ କରିଥିଲେ । ବଙ୍ଗୋମୁଣ୍ଡା ଅଞ୍ଚଳର ସାମ୍ବାଦିକମାନଙ୍କ ମଧ୍ୟରେ ଏକତା, ସହଯୋଗ ଓ ସାମ୍ବାଦିକତାର ସ୍ୱାର୍ଥ ରକ୍ଷା କରିବା ଉଦ୍ଦେଶ୍ୟରେ ବଙ୍ଗୋମୁଣ୍ଡା ଜର୍ଣ୍ଣାଲିଷ୍ଟ ୟୁନିଅନ ଗଠନ କରାଯାଇଥିଲା । ଏଥିରେ ଅନିଲ କୁମାର ଖମାରୀଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଅତିଥି ଓ ସଂଘର ସଦସ୍ୟମାନେ ମନ୍ଦିର ପରିସରରେ ସଫେଇ କାର୍ଯ୍ୟ କରି ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲେ । ନୂତନ ଭାବେ ଗଠିତ ଏହି ସଂଘ ଆଗାମୀ ଦିନରେ ସାମ୍ବାଦିକମାନଙ୍କ ଅଧିକାର ଓ ସୁରକ୍ଷା ସହ ଜନସାଧାରଣଙ୍କ ସମସ୍ୟା ଓ ସ୍ୱରକୁ ଶାଣିତ କରିବା ଦିଗରେ କାର୍ୟ୍ୟ କରିବ ବୋଲି ଆଶା ପ୍ରକାଶ ପାଇଛି । ଏହି କାର୍ଯ୍ୟକ୍ରମରେ ଝସକେତନ ନାଗ, ବଂଶୀଧର ବେହେରା, ତ୍ରିନାଥ ସାହୁ, ଅନନ୍ତ ବାଗ, ବିଶ୍ୱରଞ୍ଜନ ହୋତା, ଅମରେନ୍ଦ୍ର ନନ୍ଦ, ନରେଶ ବେହେରା, ନିତ୍ୟାନନ୍ଦ ବେହେରା, ରୁକ୍ଷ ରାଜ ରଣା, ମହିଳା ଠେଲାଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.