
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବଡ଼କୁଟ୍ରୁ ଛକରେ ସଡ଼କ ଦୁର୍ଘଟଣା, ଅଟୋ ଧକ୍କାରେ ଚାଉଳ ନେଇ ଫେରୁଥିବା ଯୁବକ ଗୁରୁତର । ଚାଉଳ ନେଇ ଘରକୁ ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାର ଶିକାର ହେଲେ ଯୁବକ । ଜୟପାଟଣା ଅଭିମୁଖେ ଯାଉଥିବା ଏକ ଅଟୋ ଧକ୍କାରେ ସେ ଗୁରୁତର ଆହତ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ବଡ଼କୁଟ୍ରୁ ଛକ ହନୁମାନ ମନ୍ଦିର ନିକଟରେ ରବିବାର ସନ୍ଧ୍ୟାରେ ଘଟିଛି ଏହି ଦୁର୍ଘଟଣା । ମିଳିଥିବା ସୂଚନା ଅନୁଯାୟୀ, ଦୁଲକିବନ୍ଧ ଗ୍ରାମର କୁମର ମାଝୀ ୨୬ ପଞ୍ଚାୟତରୁ ଚାଉଳ ନେଇ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ବଡ଼କୁଟ୍ରୁ ଛକ ହନୁମାନ ମନ୍ଦିର ନିକଟରେ ଜୟପାଟଣା ଅଭିମୁଖେ ଯାଉଥିବା ଏକ ଅଟୋ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ରାସ୍ତାରେ ପଡ଼ି ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଆହତ କୁମର ମାଝୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏବଂ ଆହତଙ୍କ ବର୍ତ୍ତମାନ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିନାହିଁ ।