
ବଲାଙ୍ଗିର, (କେପିଏନ୍ଏସ୍) : ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ନିଷ୍ଠାପର କାର୍ଯ୍ୟ ପାଇଁ ବଲାଙ୍ଗିର ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଏଡିଇଓ) ସେବାଶ୍ରୀ ଭୋଇ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୫ରେ ସମ୍ମାନିତ ହୋଇଛନ୍ତି । ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହାଇସ୍କୁଲ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଗରିମାମୟ ଉପସ୍ଥିତିରେ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିଲା । ପୂର୍ବରୁ ମଧ୍ୟ ଶ୍ରେଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ଜାତୀୟ ଓ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଛନ୍ତି । ଶ୍ରୀମତୀ ଭୋଇଙ୍କ ଏହି ସଫଳତା ବଲାଙ୍ଗିର ଜିଲ୍ଲାର ଶିକ୍ଷା ଜଗତ ପାଇଁ ଏକ ଗୌରବର ବିଷୟ । ତାଙ୍କର ଏହି ସମ୍ମାନ ଜିଲ୍ଲାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା ବିଭାଗର ସମସ୍ତ କର୍ମଚାରୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିଛି । ତାଙ୍କର ଏହି ଉପଲବ୍ଧି ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି । ଏହି ସଫଳତା ଆଗାମୀ ଦିନରେ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଓ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଅନ୍ୟମାନଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ।