jayashree

ଭିନ୍ନକ୍ଷମ ଶିଶୁମାନଙ୍କ ସୃଜନଶୀଳତାର ମହାପର୍ବ “କସ୍ତୁରୀ” ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଶିଶୁ ଦିବସ ଅବସରରେ ରିସର୍ଚ୍ଚ ଏକାଡେମୀ ଫର୍ ରୁରାଲ ଏନରିଚମେଣ୍ଟ ରେଆର ସୋନପୁର ଦ୍ଵାରା ପ୍ରତିବର୍ଷ ଆୟୋଜିତ ହେଉଥିବା ଭିନ୍ନକ୍ଷମ ଶିଶୁମାନଙ୍କ ସୃଜନଶୀଳତାର ମହାପର୍ବ “କସ୍ତୁରୀ” ଧୋବାମୁଣ୍ଡା ସ୍ଥିତ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି । ପୂର୍ବାହ୍ନରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉଷାରାଣୀ ଦାଶ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର, ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷ ଦେବାଶିଷ ଦାଶ, ନିର୍ଦ୍ଦେଶକ ସିଆର୍ ସି ବଲାଙ୍ଗିର ଗୁରୁବକ୍ସ ଚାନ୍ଦ ଜାଗୋତା ଅତିଥି ରୂପେ ଯୋଗଦେଇ “କସ୍ତୁରୀ” ର ଶୁଭେଚ୍ଛା ଜଣାଇଥିଲେ । ରେଆରର ସଭ୍ୟା ହରିପ୍ରିୟା ପାଣିଗ୍ରାହୀ ସ୍ଵାଗତ ଭାଷଣ ଉପସ୍ଥାପନ କରିଥିବା ବେଳେ ଉପସଭାନେତ୍ରୀ ପଦ୍ମିନୀ ବକ୍ସି ଓ ସଭାପତି ପ୍ରଫେସର ଅଶ୍ଵିନୀ କୁମାର ହୋତା ସମ୍ବୋଧିତ କରିଥିଲେ । ଅନୁଷ୍ଠାନର ସହ ପ୍ରତିଷ୍ଠାତା ଅମ୍ବୁଜ ବିହାରୀ ଶତପଥୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସଂପାଦକ ଅନଙ୍ଗ ନେଗୀ ଧନ୍ୟବାଦ ଅର୍ପଣ କରିଥିଲେ । ବୈଷୟିକ ପର୍ଯ୍ୟାୟରେ ଶିଶୁମାନଙ୍କ ପାଇଁ ଶିକ୍ଷଣ ସାଧନ, କାଗଜ ଖେଳ, ପଥର ପେଣ୍ଟିଂ, କଣ୍ଢେଇ ନାଚର ସୃଜନ କୋଣ ତଥା ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ଆଇନ ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ତ୍ରିବିକ୍ରମ ପାଣ୍ଡିଆ ମଧ୍ୟ ଯୋଗଦେଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ଭିନ୍ନକ୍ଷମ ଶିଶୁମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷକ ଗୀତାଞ୍ଜଳି ଦରୱାନ ସଂଯୋଜନା କରିଥିଲେ ।

Leave A Reply

Your email address will not be published.