jayashree

ବଲାଙ୍ଗିର ହେବ ରକ୍ତହୀନତା ମୁକ୍ତ : ଶପଥ ନେଲେ ଯୁବ ସ୍ୱେଚ୍ଛାସେବୀ

  • ଗୀତ, ନୃତ୍ୟ ଓ ରକ୍ତ ପରୀକ୍ଷାରେ ଝୁମିଲା ମହାବିଦ୍ୟାଳୟ।

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିର ପରିସର ଯୁବ ରେଡକ୍ରସର ଆନୁକୂଲ୍ୟରେ ଦିନତମାମ ରକ୍ତହୀନତା ନିରାକରଣ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସଙ୍ଗୀତର ସ୍ଵରରେ ଏବଂ ରେଡକ୍ରସର ପ୍ରତିଷ୍ଠାତା ହେନରୀ ଡୁନାଣ୍ଟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଉଦ୍‌ଘାଟନୀ ଅଧିବେଶନରେ ସଭାପତିତ୍ୱ କରି ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲ୍ଲା ଯୁବ ରେଡକ୍ରସ କମିଟିର ଅଧ୍ୟକ୍ଷ ଡ. କୌତୁକ ପନ୍ଦର ସମସ୍ତ ଛାତ୍ରଛାତ୍ରୀଙ୍କୁ ରକ୍ତହୀନତା ସମ୍ପର୍କରେ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଡ. ଲଳିତ ମୋହନ ବିଶି ରକ୍ତହୀନତାର ଲକ୍ଷଣ ଥକ୍କା ଲାଗିବା, ମୁଣ୍ଡ ବୁଲାଇବା, ପାଠରେ ମନ ନ ଲାଗିବା ବିଷୟରେ ସହଜ ଭାଷାରେ ବୁଝାଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଦୁଇଟି ବୈଷୟିକ ଅଧିବେଶନରେ ବିଶେଷଜ୍ଞମାନେ କେଉଁ ଖାଦ୍ୟ ଖାଇଲେ ସହଜରେ ରକ୍ତ ବଢ଼େ, ତାହା ଉଦାହରଣ ଦେଇ ବୁଝାଇଥିଲେ । ବ୍ଲଡ୍ ବ୍ୟାଙ୍କ ଅଧିକାରୀ ଶେଖ୍ ଅବଦୁଲ୍ ଅସରଫ କହିଥିଲେ, “ରକ୍ତଦାନ ମହାପୁଣ୍ୟ” । ମନୁଷ୍ୟ ରକ୍ତର ମହତ୍ତ୍ୱ ବୁଝାଇବା ସହିତ କିପରି ନିଜେ ସଚେତନ ହୋଇ ରକ୍ତହୀନତା ଦୂର କରିବା ତତ୍ ସମ୍ବନ୍ଧୀୟ ବିଶେଷ ଚର୍ଚ୍ଚା କରିଥିଲେ । ଏହାଛଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ରକ୍ତ ପରୀକ୍ଷା ଶିବିରରେ ଶତାଧିକ ଛାତ୍ରଛାତ୍ରୀଙ୍କର ହିମୋଗ୍ଲୋବିନ୍ ପରୀକ୍ଷା କରାଯାଇଥିଲା । ଉଦ୍‌ଯାପନୀ ଅଧିବେଶନରେ ମଞ୍ଚ ସାଜି ଉଠିଥିଲା ସାଂସ୍କୃତିକ ରଙ୍ଗମଞ୍ଚ । ଛାତ୍ରଛାତ୍ରୀମାନେ ସ୍ୱାସ୍ଥ୍ୟ ସଚେତନତା ଉପରେ ଆଧାରିତ ସୁନ୍ଦର ସଙ୍ଗୀତ, ନୃତ୍ୟ ଓ ନାଟକ ପରିବେଷଣ କରିଥିଲେ । ଗୀତର ତାଳେ ତାଳେ ରକ୍ତହୀନତା ବିରୁଦ୍ଧରେ ଲଢ଼ିବାର ବାର୍ତ୍ତା ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଥିଲା । ଦର୍ଶକମାନେ କରତାଳି ଦେଇ କଳାକାର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପାଠ ସହ କଳା – ଏହା ହିଁ ଥିଲା କାର୍ଯ୍ୟକ୍ରମର ସବୁଠୁ ସୁନ୍ଦର ମୁହୂର୍ତ୍ତ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଓ କଳାକାରମାନଙ୍କୁ ମଞ୍ଚାସୀନ ଅତିଥିମାନେ ପ୍ରମାଣ ପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ପ୍ରମାଣ ପତ୍ର ହାତରେ ଧରି ଛାତ୍ରଛାତ୍ରୀଙ୍କ ମୁହଁରେ ଖୁସିର ହସ ଫୁଟି ଉଠିଥିଲା । ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ ପରାମର୍ଶଦାତା ଡ. ଶ୍ରୀକାନ୍ତ ବାରିକ ସଂଯୋଜନା କରିଥିବା ବେଳେ ଜିଲ୍ଲା ସଂଯୋଜକ ଡ. ଦୈତାରୀ ପୂଜାରୀ ଓ ଜିଲ୍ଲା ଆବାହକ ଲେଫ୍ଟନାଣ୍ଟ, କୁଶ କହଁର ସହଯୋଗ କରିଥିଲେ ଏବଂ ଇଂରାଜୀ ବିଭାଗର ଅଧ୍ୟାପିକା ରମଣୀ ନାଏକ ଧନ୍ୟବାଦ ଜଣାଇଥିଲେ । ପ୍ରଥମ ବୈଷୟିକ ଅଧିବେଶନରେ ସଂଯୋଜନା କରିଥିଲେ ରାଜନୀତି ବିଜ୍ଞାନର ପ୍ରଫେସର ଡ. ଅଶୋକ କୁମାର ମହାରଣା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ସୁନୟନା ହୋତା । ଦ୍ଵିତୀୟ ବୈଷୟିକ ଅଧିବେଶନରେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷା ବିଭାଗ ମୁଖ୍ୟ ଡ. ମଧୁସ୍ମିତା ମିଶ୍ର ଧନ୍ୟବାଦ ଦେଇଥିଲେ । ଅଧ୍ୟାପିକା ଅର୍ପିତା ପରିଚ୍ଛା, ଉଦ୍‌ଯାପନୀ ସମାରୋହରେ ମଞ୍ଚ ପରିଚାଳନାର ଦାୟିତ୍ଵ ନିର୍ବାହ କରିଥିଲେ । ଅଧ୍ୟାପିକା ସଙ୍ଗୀତା ସାହୁ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ସାମାଜିକ ବିଜ୍ଞାନର ଅଧ୍ୟାପକ ଚନ୍ଦନ ପୁହାଣ । ଏହାଛଡ଼ା ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ବିଭିନ୍ନ ମହାବିଦ୍ୟାଳୟର ଶତାଧିକ ଯୁବ ରେଡକ୍ରସ ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଛନ୍ତି ।

Leave A Reply

Your email address will not be published.