
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସନ୍ଧ୍ୟା କାଳୀନ ଯାନବାହାନ ତନଖି ସମୟରେ ବିନା ଅନୁମତିରେ ଓଡ଼ିଶାରେ ଆନ୍ତଃରାଜ୍ୟ କୋଇଲା ଚାଲାଣ କରୁଥିବା ଏକ ରାଜ୍ୟ ବାହାରର ଟ୍ରକ୍କୁ ଧରିଛି ବିଭାଗ । ଛତିଶଗଡ଼ ରାଜ୍ୟର ପଞ୍ଜିକୃତ ଏକ ଟିପ ଟ୍ରେଲର ଭାରୀଯାନ (ସିଜି-୧୦ବିଏଲ୍ -୫୦୧୯)କୁ ଧରିବା ସହ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ୩ ଲକ୍ଷ ୬୦ ହଜାର ଟଙ୍କା ଜରିମାନା ଓ ଟ୍ରକକୁ ଜବତ କରାଯାଇଛି । ସୂଚନା ଅନୁଯାୟୀ ଛତିଶଗଡ଼ ପଞ୍ଜିକୃତ ଟିପ୍ ଟ୍ରେଲର୍ ଆନ୍ତଃରାଜ୍ୟ କୋଇଲା ଚାଲାଣ କରୁଥିବାବେଳେ ସୋନପୁର-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥର ସାହାଜପିଟା ନିକଟରେ ପରିବହନ ବିଭାଗର ପ୍ରବର୍ତ୍ତନ ଦଳ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଏହି ଟ୍ରକ ଓଡ଼ିଶା ଟାକ୍ସ ପୈଠ କରି ନଥିବା ବେଳେ ଓଡ଼ିଶାର ଅନୁମତି ମଧ୍ୟ ନଥିବା ଜଣାପଡ଼ିଥିଲା । ଏପରିକି ଗାଡିଟି ବିନା ଅନୁମତିରେ ପୂର୍ବରୁ ମଧ୍ୟ ଓଡ଼ିଶାରେ ଚଳପ୍ରଚଳ କରିବା ସହ ଡାଟାବେସ୍ ଅନୁସାରେ ଗାଡିର ଚାଲାଣ ବକେୟା ରହିଥିବା ଜଣାପଡ଼ିଥିଲା । ଫଳରେ ମଟରଯାନ ଆଇନର ବିଭିନ୍ନ ଧାରାରେ ୩ ଲକ୍ଷ ୬୦ ହଜାର ଟଙ୍କାର ଚାଲାଣ କାଟିବା ସହ ଟ୍ରକକୁ ଜବତ କରି ଗାଡିଚାଳକ ଓ ମାଲିକଙ୍କୁ ଜରିମାନା ପୈଠ ପାଇଁ ନିର୍ଦେଶ ଦିଆଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କନିଷ୍ଠ ମୋଟରଯାନ ନିରୀକ୍ଷକ ରାଜେଶ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିବା ଏହି ଯାଞ୍ଚ ବେଳେ ପରିବହନ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ବିଭାଗ ପକ୍ଷରୁ ଏଭଳି ତନଖି କାର୍ଯ୍ୟକୁ ଜିଲ୍ଲାର ଜନସାଧାରଣ ତଥା ବୁଦ୍ଧିଜୀବୀ ମହଲରୁ ସାଧୁବାଦ ଦିଆଯାଇଛି ।