
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗଡ଼ିଆଠାରେ ଶିଶୁ ଦିବସ ମହାସମାରୋହରେ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଉତ୍ସବର ସବୁଠାରୁ ବିଶେଷ ଆକର୍ଷଣ ଥିଲା ଯେ, କାର୍ଯ୍ୟକ୍ରମର ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ନିଜେ ହିଁ ତୁଳାଇଥିଲେ । ଛାତ୍ରଛାତ୍ରୀମାନେ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ମଞ୍ଚ ପରିଚାଳନା, ସାଂସ୍କୃତିକ ପରିବେଷଣ ଓ ବିଭିନ୍ନ ଆୟୋଜନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ଅଷ୍ଟମ ଶ୍ରେଣୀର ଛାତ୍ରୀ ସୁନୀତା ବଗର୍ତ୍ତୀ ଅତ୍ୟନ୍ତ ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ଓ ଶିକ୍ଷକମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣୀ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୋଳଗୋବିନ୍ଦ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ବରିଷ୍ଠ ଶିକ୍ଷକ ସର୍ବେଶ୍ୱର ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ପ୍ରମୋଦ ମହେର ଓ ପ୍ରଭାତ ସେଠୀ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ଲିଲିରାଣୀ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିଶୁ ଦିବସ ପାଳନ କେବଳ ଏକ ଉତ୍ସବ ନଥିଲା, ବରଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ, ଆତ୍ମବିଶ୍ୱାସ, ଦାୟିତ୍ୱବୋଧ ଓ ସାମୂହିକ କାର୍ଯ୍ୟଦକ୍ଷତାର ଏକ ସୁନ୍ଦର ଉଦାହରଣ ଥିଲା । ଶିଶୁ ମାନଙ୍କୁ କେବଳ ଶିକ୍ଷା ଦେବା ନୁହେଁ ବରଂ ସେମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ ଓ ନେତୃତ୍ୱ ନେବାର ସୁଯୋଗ ଦେବା ହିଁ ପ୍ରକୃତ ଶିଶୁ ଦିବସର ବାର୍ତ୍ତା ବୋଲି ଏହି କାର୍ଯ୍ୟକ୍ରମ ପ୍ରମାଣିତ କରିଥିଲା ।