
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଶିଶୁ ଦିବସ ଓ କନ୍ୟା ଶିବିର-୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସର ଉତ୍ସବମୁଖର ହୋଇଉଠିଥିଲା । ଶିଶୁ ଦିବସ ଉପଲକ୍ଷେ ଆୟୋଜିତ ସଭାରେ ସମ୍ପାଦକ ଜନକ ଲାଲ ମେହେର ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଶିଶୁ ଦିବସର ମହତ୍ତ୍ୱ ଓ ଉଦ୍ଦେଶ୍ୟ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ । ଭାଇମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିବାବେଳେ ଶିଶୁ ମନ୍ଦିର ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଭାଇ ଭଉଣୀମାନେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୀବନୀ ଓ ଆଦର୍ଶ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ପ୍ରଦୀପ ରାଜହଂସ ସଭାକାର୍ଯ୍ୟ ସଂଯୋଜନା କରିଥିବାବେଳେ ଗୁରୁଜୀ ସଞ୍ଜିବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ବିଦ୍ୟାଳୟରେ ଶିଶୁ ଶିବିର ଓ କନ୍ୟା ଶିବିର-୨୦୨୬ ମଧ୍ୟ ଆୟୋଜିତ ହୋଇଥିଲା । ଶିଶୁ ଶିବିରରେ ଶିଶୁ ବାଟିକା ଭାଇ ଭଉଣୀ ମାନେ ଯୋଗଦେଇ ଶାରୀରିକ, ବାଦାମ ଚୋପା ଛଡ଼ାଇବା, ଚକଟା ଅଟାରେ ବିଭିନ୍ନ ପ୍ରକାରର ବସ୍ତୁ ତିଆରି କରିଥିଲେ । ଶିଶୁ ବାଟିକା ବିଭାଗର ସମସ୍ତ ଗୁରୁଜୀ ଗୁରୁମା ଏଥିରେ ସହଯୋଗ କରିଥିଲେ । କନ୍ୟା ଶିବିରର ପ୍ରଥମ କାଳାଂଶ ଶାରୀରିକ ଅଭ୍ୟାସରୁ ଆରମ୍ଭ ହୋଇଥିଲା । ଗୁରୁମା ମିନତୀ ପଟ୍ଟନାୟକ, ମମତା ଓ ପିଙ୍କି ଏହାକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ । ବନ୍ଦନା କାଳାଂଶରେ ଅଞ୍ଚଳ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ମୋନାଲିସା ସ୍ୱାଇଁ ଦୀପ ପ୍ରଜ୍ଜ୍ୱଳନ କରି ଶିବିରର ଉଦ୍ଘାଟନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥି ପରିଚୟ ପ୍ରଦାନ ସହ ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ ଗୁରୁମା ଶ୍ରୀମତୀ କଲ୍ୟାଣୀ ଓ ମାତୃମଣ୍ଡଳୀର ପୂର୍ବତନ ସଭାପତି ଶ୍ରୀମତୀ ରୁକ୍ମିଣୀ ସାହୁ ଉପସ୍ଥିତ ଥିଲେ । ଶିବିରର ବିଭିନ୍ନ କାଳାଂଶରେ ଗୁରୁମା ଶ୍ରୀମତୀ ରଞ୍ଜିତା ଭୋଇ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ଭଉଣୀମାନଙ୍କୁ ଅବଗତ କରାଇଥିଲେ । ଗୁରୁମା ମମତା ସୁଷମ ଖାଦ୍ୟ ଓ ଶରୀରର ଯତ୍ନ ସମ୍ପର୍କରେ ସଚେତନ କରିଥିବାବେଳେ ଗୁରୁମା ମିନତୀ ପଟ୍ଟନାୟକ ଭାରତୀୟ ପରମ୍ପରାରେ ପ୍ରଚଳିତ ବିଭିନ୍ନ ଆଭୂଷଣର ବୈଜ୍ଞାନିକ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ପଞ୍ଚମ କାଳାଂଶରେ ଡାକ୍ତରଙ୍କ ପରାମର୍ଶ ମଧ୍ୟ ରହିଥିଲା । ଦଶମ ଶ୍ରେଣୀର ଭଉଣୀମାନେ ସୁନ୍ଦର ଭାବରେ ସଭାକାର୍ଯ୍ୟ ସଂଯୋଜନା ଓ ପରିଚାଳନା କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କନ୍ୟା ଶିବିରର ଉଦ୍ଯାପନ ହୋଇଥିଲା । ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାମାନଙ୍କ ସକ୍ରିୟ ସହଯୋଗରେ ଉଭୟ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା ।