
ମଲମୁଣ୍ଡା, (କେପିଏନ୍ଏସ୍) : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ଅବସରରେ ମଲମୁଣ୍ଡା କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିଶୁ ଦିବସ ପାଳନ ହୋଇଯାଇଛି । ଏହି କ୍ରମରେ ମଲମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଶିଶୁ ଦିବସ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ସଙ୍ଗୀତ, ଚିତ୍ରାଙ୍କନ, ଗଳ୍ପ କଥନ ଓ ଭାଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରମୋଦ କୁମାର ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ ସେ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ଶିକ୍ଷା, ଶୃଙ୍ଖଳା ଏବଂ ଜିଜ୍ଞାସାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ମନ ଦେଇ ପାଠ ପଢ଼ିବାକୁ ଉତ୍ସାହିତ କରିଥିଲେ । କୁନିକୁନି ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିବା ଏବଂ ମୌଳିକ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ବର୍ଣ୍ଣବୋଧ, କଲମ ଏବଂ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷୟିତ୍ରୀ ରଞ୍ଜିତା ଜେନା, କଳ୍ପନା ରାଣୀ ପଟେଲ ଏବଂ ଇତିଶ୍ରୀ ଦାଶ କାର୍ଯ୍ୟକ୍ରମଟିକୁ ସୂଚାରୁ ରୂପେ ପରିଚାଳନା ଓ ସଂଯୋଜନା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ସକ୍ରିୟ ଅଂଶଗ୍ରହଣ ମଧ୍ୟରେ କାର୍ଯ୍ୟକ୍ରମଟି ବେଶ ଆନନ୍ଦମୟ ପରିବେଶରେ ଶେଷ ହୋଇଥିଲା ।