
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଅର୍ଣ୍ଣବ ବାତ୍ୟାର ପ୍ରଭାବରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷ ଓ ଜଳସେଚନ ବ୍ୟବସ୍ଥା ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏବେ ଚାଷୀଙ୍କ ଚିନ୍ତା ବଢ଼ାଇଛି ରାଇକିଆ ବ୍ଲକ ଇନ୍ଦ୍ରଗଡ଼ ପଞ୍ଚାୟତର ଜଳସେଚନ ସମସ୍ୟା । ବାତ୍ୟାରେ ଏହି ପଞ୍ଚାୟତର ଜଳସେଚନ ବ୍ୟବସ୍ଥା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଚାଷ ଜମିକୁ ପାଣି ମିଳିବା ନେଇ ଅନିଶ୍ଚିତତା ଦେଖାଦେଇଛି । ଫଳରେ ବିନ୍ସ ଓ ଧାନ ଚାଷ ବଞ୍ଚାଇବା ଚାଷୀଙ୍କ ପାଇଁ ବଡ଼ ଆହ୍ୱାନ ପାଲଟିଛି । ଏହି ଗୁରୁତର ସମସ୍ୟାକୁ ନେଇ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶମାଝିଙ୍କ ନିର୍ଦ୍ଦେଶକ୍ରମେ ବିଜେପି ଜିଲ୍ଲା ସମ୍ପାଦିକା ପୁଷ୍ପାଞ୍ଜଳି ତ୍ରିପାଠୀ ଓ ନଗର ସାଧାରଣ ସମ୍ପାଦକ ଅରୁଣ ପ୍ରଧାନଙ୍କ ସମେତ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ଉଠା ଜଳସେଚନ କାର୍ଯ୍ୟାଳୟରେ ପହଞ୍ଚି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଇନ୍ଦ୍ରଗଡ଼ ପଞ୍ଚାୟତର ଚାଷୀଙ୍କୁ ଯଥାଶୀଘ୍ର ଜଳସେଚନ ସୁବିଧା ଯୋଗାଇ ଦେବା ସହ ବିନ୍ସ ଓ ଧାନ ଫସଲକୁ ନଷ୍ଟ ହେବାରୁ ରକ୍ଷା କରିବା ଉପରେ ପ୍ରତିନିଧି ମଣ୍ଡଳୀ ଗୁରୁତ୍ୱାରୋପ କରିଥିଲେ । ଜଳସେଚନ ପ୍ରକଳ୍ପକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକ ବିଦ୍ୟୁତ ସଂଯୋଗ ତୁରନ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଭେଟି ଦାବି ଜଣାଇଥିଲେ । ଏଥିସହ ଚାଷୀଙ୍କ ଫସଲ ସୁରକ୍ଷାକୁ ଦୃଷ୍ଟିରେ ରଖି ଅତିଶୀଘ୍ର ଜଳ ଯୋଗାଣ ଆରମ୍ଭ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଦାବି ଉପସ୍ଥାପନ କରିଥିଲେ । ଚାଷୀଙ୍କ କହିବା ଅନୁଯାୟୀ, ଚାଷର ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଜଳସେଚନ ବ୍ୟବସ୍ଥା ଅଚଳ ରହିଲେ ଫସଲ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବା ଆଶଙ୍କା ରହିଛି । ତେଣୁ କେବଳ ଆଲୋଚନା ଓ ଆଶ୍ୱାସନାରେ ସୀମିତ ନ ରଖି କ୍ଷତିଗ୍ରସ୍ତ ଜଳସେଚନ ପ୍ରକଳ୍ପର ତୁରନ୍ତ ମରାମତି, ବିଦ୍ୟୁତ ସଂଯୋଗ ଏବଂ ଜଳ ଯୋଗାଣ ଆରମ୍ଭ କରିବାକୁ ଚାଷୀ ମହଲରୁ ଦାବି ହେଉଛି । ବାତ୍ୟାରେ କ୍ଷତିଗ୍ରସ୍ତ ଜଳସେଚନ ବ୍ୟବସ୍ଥା କେବେ ସ୍ୱାଭାବିକ ହେବ ଏବଂ ଚାଷୀଙ୍କ ଫସଲ କିପରି ବଞ୍ଚିବ ? ଏବେ ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ ।