
ପଦ୍ମପୁର, (ନିରୋଜ କୁମାର ପାଣୀ) : ଚାଷୀଙ୍କ ଆର୍ଥିକ ସଶକ୍ତୀକରଣ ସହ ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ବୃଦ୍ଧି ଏବଂ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମେଳାରେ ବିଜେପୁର ବିଧାୟକ ସନତ ଗଡ଼ତିଆ ମୁଖ୍ୟ ଅତିଥି ଏବଂ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଶୋଭନ କୁମାର ନାଏକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଜାନକୀ ବେହେରା, ସାଂସଦ ପ୍ରତିନିଧି ସଞ୍ଜୟ କୁମାର ପୁରୋହିତ, ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ ଓ ଆତ୍ମା ଅଧ୍ୟକ୍ଷା ସୁପ୍ରଭା ବାରିକ ପ୍ରମୁଖ ଯୋଗଦେଇଥିଲେ । ନବୀନ ଚନ୍ଦ୍ର ସାହୁ ସଭା ପରିଚାଳନା କରିଥିବା ବେଳେ ଡ. ରାନୁ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ରଶ୍ମିରଞ୍ଜନ ମହାନ୍ତି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ପ୍ରାଣୀ କଲ୍ୟାଣ ଯୋଜନା ଓ ଜାତୀୟ ପ୍ରାଣିଧନ ମିଶନ ସମେତ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ । ମେଳାରେ ମିଶନ ଶକ୍ତି, ମିଲେଟ ମିଶନ, ଆଇସିଡିଏସ୍, ପ୍ରାଣୀସମ୍ପଦ ବିଭାଗ ଓ ଅନ୍ୟାନ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସଚେତନତାମୂଳକ ଷ୍ଟଲ ଖୋଲାଯାଇଥିଲା । ଏହି ଷ୍ଟଲଗୁଡ଼ିକ ମାଧ୍ୟମରେ ଚାଷୀମାନଙ୍କୁ ଗୋପାଳନ, ଛେଳି ପାଳନ, କୁକୁଡ଼ା ପାଳନ ଓ ମତ୍ସ୍ୟଚାଷର ଆଧୁନିକ ପଦ୍ଧତି ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଗୋପାଳନ, ଛେଳି ପାଳନ, କୁକୁଡ଼ା ପାଳନ ଓ ମାଛଚାଷ କ୍ଷେତ୍ରରେ ସଫଳତା ହାସଲ କରିଥିବା ଚାଷୀମାନଙ୍କୁ ଅତିଥିମାନେ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏଥିସହ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ଆର୍ଥିକ ଓ ପ୍ରଶାସନିକ ସହାୟତା ଯୋଗାଇ ଦିଆଯାଇଥିଲା । ବ୍ୟବସାୟିକ ଗୋପାଳନ କେନ୍ଦ୍ର ପାଇଁ ଅମଲିପାଲି ଗ୍ରାମର ସୀତା ସାହୁ, ବ୍ୟବସାୟିକ ଛେଳି ପାଳନ କେନ୍ଦ୍ର ପାଇଁ ଗଣ୍ଡପାଲି ଗ୍ରାମର ଯମୁନା ପୁଟେଲ ଏବଂ ଜୈବ-ଫ୍ଲକ୍ ମାଛଚାଷ ଟାଙ୍କି ପାଇଁ କଣ୍ଟାଝୁଡ଼ା ଗ୍ରାମର ସୁମନ୍ତ ଧରୁଆଙ୍କୁ କାର୍ଯ୍ୟାରମ୍ଭ ନିମନ୍ତେ ଅନୁମତି ପତ୍ର ପ୍ରଦାନ କରାଯାଇଥିଲା । ସେହିପରି ଗୋପାଳନ କେନ୍ଦ୍ର ସ୍ଥାପନ ପାଇଁ ଅଇଁଲାଭଟା ଗ୍ରାମର ସୌନିକା ପଧାନଙ୍କୁ ୭ ଲକ୍ଷ ୫୪ ହଜାର ୨୫୬ ଟଙ୍କା ଏବଂ ଜାମୁଟବାହାଲ ଗ୍ରାମର ଜଣେ ହିତାଧିକାରୀଙ୍କୁ ୮ ଲକ୍ଷ ୭୭ ହଜାର ୭୫୬ ଟଙ୍କା ମଞ୍ଜୁର ହୋଇଥିବା ଅର୍ଥରାଶିର ସବସିଡି ମଞ୍ଜୁରୀ ଓ ଅର୍ଥମୁକ୍ତି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏଥିସହ ମତ୍ସ୍ୟ ପୋଖରୀ ଯୋଜନାରେ ଅମଲିପାଲି ଗ୍ରାମର ଜଣେ ହିତାଧିକାରୀଙ୍କୁ ୯୬ ହଜାର ୨୫୦ ଟଙ୍କାର ସବସିଡି ମଞ୍ଜୁରୀ ଓ ଅର୍ଥମୁକ୍ତି ପ୍ରମାଣପତ୍ର ଦିଆଯାଇଥିଲା । ମୁଖ୍ୟ ଅତିଥି ବିଧାୟକ ସନତ ଗଡ଼ତିଆ ଏଭଳି ଜନହିତକର କାର୍ଯ୍ୟକ୍ରମ ଆୟୋଜନ ପାଇଁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ସଫଳ ଚାଷୀମାନଙ୍କୁ ଅଭିନନ୍ଦନ ଓ ଉତ୍ସାହିତ କରିଥିଲେ । ଏଥିସହ ଉପସ୍ଥିତ ଚାଷୀମାନେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇ ଏହାର ସୁଯୋଗ ନେବା ସହ ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବାକୁ ସେ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ବିଭାଗୀୟ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ବରଗଡ଼ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ସୁମନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।