
ବଲାଙ୍ଗିର, (କେପିଏନ୍ଏସ୍) : ଭକ୍ତିମୟ ପରିବେଶ ମଧ୍ୟରେ ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀପାଲି ଗ୍ରାମର ବିମଳା ଫାର୍ମ ହାଉସଠାରେ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଧାର୍ମିକ କାର୍ଯ୍ୟକ୍ରମରେ କର୍ତ୍ତା ଭାବେ କ୍ୟାପଟେନ ଡାକ୍ତର ସଂଜୀବ କୁମାର ଦାସ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଶୁଭାସିନୀ ଦାସ ଦାୟିତ୍ୱ ତୁଲାଇଥିଲେ । ନାମ ସଂକୀର୍ତ୍ତନରେ ବ୍ରାହ୍ମଣୀପାଲି, ଜଲିଆ, ବାଞ୍ଜିପାଲି, ଜରାସିଂହା ସମେତ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗଦେଇ ହରିନାମ ସଂକୀର୍ତ୍ତନରେ ସାମିଲ ହେବା ସହ ପ୍ରଭୁଙ୍କ କୃପା ଲାଭ କରିଥିଲେ । ଏହି ଅବସରରେ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବ୍ରାହ୍ମଣୀପାଲି ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ରହିଥିଲା ।