
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜିକାଲିର ଆଧୁନିକ ଯୁଗରେ କମ୍ପ୍ୟୁଟର ଶିକ୍ଷାଦାନ ଆଉ ବିଶେଷ ଶିକ୍ଷା ହୋଇ ରହିନାହିଁ ବରଂ ଏହା ଚଳିତ ପିଢିର ଅତ୍ୟାବଶ୍ୟକୀୟ ଜରୁରୀ ପାଠ୍ୟକ୍ରମ ପାଲଟିଛି । ଏଭଳି ପରିସ୍ଥିତିରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଏହି ଶିକ୍ଷା ପାଇବା ପାଇଁ ଆଉ ନିକଟତମ ସହରକୁ ଯିବା ଜରୁରୀ ନୁହେଁ ବରଂ ସେମାନଙ୍କୁ ସେମାନଙ୍କ ଘର ପାଖରେ ଏହି ଶିକ୍ଷା ମିଳିବା ଆବଶ୍ୟକ । ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଓକେସିଏଲ୍ର ଗଞ୍ଜାମ ଜିଲ୍ଲାର ମୁଖ୍ୟ କେନ୍ଦ୍ର ରେଖାସ୍ ଡିଜିଟାଲ ଏଜୁକେସନ ପକ୍ଷରୁ ଛତ୍ରପୁର ବ୍ଲକର ସୁନ୍ଦରପୁର ପଞ୍ଚାୟତରେ ଏକ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଓକେସିଏଲ୍ର ଗଞ୍ଜାମ ଜିଲ୍ଲା ମୁଖ୍ୟ ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରପୁର ସରପଞ୍ଚ ଗଗନ ବେହେରା, ଭାଜପା ଜିଲ୍ଲା ସମ୍ପାଦକ ଏନ୍ ଦୁର୍ଯ୍ୟୋଧନ ରେଡ୍ଡୀ, ମଣ୍ଡଳ ସଭାପତି ସମ୍ପଦ ବେହେରା, ଅର୍ଜୁନ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ଏଭଳି ଶିକ୍ଷାନୁଷ୍ଠାନର ଅଧିକରୁ ଅଧିକ ଆବଶ୍ୟକତା ରହିଛି ବୋଲି ଅତିଥିମାନେ ଏହି ଅବସରରେ କହିବା ସହ ଏହି ପ୍ରୟାସର ସଫଳତା କାମନା କରିଥିଲେ ।