
ବଲାଙ୍ଗିର, (କେପିଏନ୍ଏସ୍) : ନଭେମ୍ବର ୧୪ରେ ଦ୍ୱିତୀୟ ଗଣ୍ଡାବଜା ମହୋତ୍ସବ, ସାମିଲ ହେବେ ୧୫ ହଜାର କଳାକାର ଓ ୫୦ଟି ଦଳ ବାଜିବ ଢୋଲ, ଗର୍ଜିବ ନିଶାଣ, ଗଣ୍ଡାବଜାର ତାଳେ ଝୁମିବେ ହଜାର ହଜାର ଦର୍ଶକ । ପଶ୍ଚିମ ଓଡ଼ିଶାର ଲୋକକଳା ଓ ପାରମ୍ପରିକ ବାଦ୍ୟଯନ୍ତ୍ରର ଗୌରବକୁ ଉଜ୍ଜୀବିତ କରିବା ପାଇଁ ପୁଣିଥରେ ଆୟୋଜିତ ହେବାକୁ ଯାଉଛି ବିଶାଳ ଗଣ୍ଡାବଜା ମହୋତ୍ସବ । ଆସନ୍ତା ନଭେମ୍ବର ୧୪ ତାରିଖରେ ବଲାଙ୍ଗିରର କୋଶଳ କଳାମଣ୍ଡଳ ପଡ଼ିଆରେ ଦ୍ୱିତୀୟ ଥର ପାଇଁ ଏହି ମହୋତ୍ସବ ଅନୁଷ୍ଠିତ ହେବ । ଏଥର ମହୋତ୍ସବରେ ପ୍ରାୟ ୧୫ ହଜାର ଲୋକଙ୍କ ସମାଗମ ସହ ୫୦ଟି ଗଣ୍ଡାବଜା ଦଳ ଅଂଶଗ୍ରହଣ କରିବେ । ବଲାଙ୍ଗିର ସମେତ ସୋନପୁର, ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ବିଭିନ୍ନ ଗଣ୍ଡାବଜା ଦଳ ଯୋଗଦେଇ ନିଜ ନିଜର ପାରମ୍ପରିକ କଳା ଓ ବାଦ୍ୟର ଝଲକ ଦେଖାଇବେ । ବିବାହ ହେଉ କି ପର୍ବପର୍ବାଣୀ, ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ଶୁଭ ଅବସରରେ ଗଣ୍ଡାବଜାର ରହିଛି ସ୍ୱତନ୍ତ୍ର ପରିଚୟ। ହେଲେ ଆଧୁନିକତାର ପ୍ରଭାବ ଓ ଡିଜେ ସଂସ୍କୃତିର ବ୍ୟାପକତା ଯୋଗୁଁ ଏହି ପାରମ୍ପରିକ ବାଦ୍ୟ ପ୍ରତି ଯୁବପିଢ଼ିଙ୍କ ଆଗ୍ରହ କମିବାରେ ଲାଗିଛି। ଗଣ୍ଡାବଜା ଶିଖିବା ଓ ଏହାର ପରମ୍ପରାକୁ ଆଗକୁ ନେବା ପାଇଁ ଯୁବପିଢ଼ି ସେତେଟା ଆଗ୍ରହ ଦେଖାଉନାହାନ୍ତି । ଫଳରେ ଏହି ଲୋକକଳାର ଭବିଷ୍ୟତକୁ ନେଇ ଚିନ୍ତା ବଢ଼ିଛି । ଏଣୁ କେବଳ ମହୋତ୍ସବ ଆୟୋଜନ ନୁହେଁ, ବରଂ ଗଣ୍ଡାବଜାର ସୁରକ୍ଷା ଓ ପରବର୍ତ୍ତୀ ପିଢ଼ି ମଧ୍ୟରେ ଏହାର ପ୍ରସାର କରିବା ହେଉଛି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ଯୁବପିଢ଼ି ଆଗେଇ ଆସି ଏହି ମହାନ ପରମ୍ପରାକୁ ବଞ୍ଚାଇ ରଖିବାକୁ ଆହ୍ୱାନ ଦେଇଛି ଆୟୋଜକ କମିଟି । ଏନେଇ ଆଜି ସାମ୍ବାଦିକ ଭବନରେ ଗଣ୍ଡାବଜା ମହୋତ୍ସବ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ମହୋତ୍ସବର ରୂପରେଖ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦିଆଯାଇଥିଲା ।