
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ମହାନ ଆଦିବାସୀ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ତ୍ୟାଗ, ସଂଘର୍ଷ ଓ ଆଦର୍ଶକୁ ସ୍ମରଣ କରିବା ସହ ଜନଜାତୀୟ ଗୌରବ ଓ ସାଂସ୍କୃତିକ ଚେତନାର ପ୍ରସାର ପାଇଁ କୁଈକୂଳ ସମିତି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ କାଟିଙ୍ଗିଆ ସ୍ଥିତ କୁଈକୂଳ ସମିତି ଉପଶାଖା ପକ୍ଷରୁ ଗୁଡ୍ରିଗୁଡ଼ା ଠାରେ ଏକ ସଚେତନତାମୂଳକ ବୈଠକ ସହ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଛି । ବୈଠକରେ କୁଈକୂଳ ସମିତିର ନୀତି, ଆଦର୍ଶ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ବିଶେଷକରି ଜନଜାତି ସମାଜ ମଧ୍ୟରେ ଏକତା, ଭାଇଚାରା, ସଂଗଠନକୁ ସୁଦୃଢ଼ କରିବା ସହ ନିଜସ୍ୱ ଭାଷା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସୁରକ୍ଷା ଉପରେ ମତ ପ୍ରକାଶ ପାଇଥିଲା । ନିଜ ସାମାଜିକ ପରିଚୟ ଓ ପରମ୍ପରାକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ପାଇଁ ସମସ୍ତେ ସଂଗଠିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା । ଏହାସହ ଆସନ୍ତା ନଭେମ୍ବର ୧୫ ତାରିଖରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ ତମ ଜୟନ୍ତୀ ତଥା ‘ଜନଜାତୀୟ ଗୌରବ ଦିବସ’କୁ ଦାରିଙ୍ଗବାଡ଼ି ବ୍ଲକସ୍ତରରେ ଭବ୍ୟ ଓ ଉତ୍ସାହପୂର୍ଣ୍ଣ ଭାବେ ପାଳନ କରିବା ନିମନ୍ତେ ଆୟୋଜନ, କାର୍ଯ୍ୟକ୍ରମର ରୂପରେଖ ଏବଂ ସମସ୍ତଙ୍କ ସହଯୋଗ ସମ୍ପର୍କରେ ଆଲୋଚନା କରାଯାଇଥିଲା । କୁଈକୂଳ ସମିତିର ସଭାପତି ଧୀରେନ୍ଦ୍ର ପଡ୍ରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ପଡ୍ରା, ସହ-ସମ୍ପାଦକ ସିଙ୍ଗଲା ପଡ୍ରା ଓ ପରାମର୍ଶଦାତା କପିଳାସ ମଲିକଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଜନଜାତି ସମାଜର ଗୌରବମୟ ଇତିହାସକୁ ଉଜ୍ଜୀବିତ ରଖିବା ସହ ବିର୍ସା ମୁଣ୍ଡାଙ୍କ ସଂଘର୍ଷମୟ ଜୀବନ ଓ ଆଦର୍ଶକୁ ଯୁବପିଢ଼ିଙ୍କ ମଧ୍ୟରେ ପହଞ୍ଚାଇବା ଏହି ବୈଠକର ମୁଖ୍ୟ ଲକ୍ଷ୍ୟ ରହିଥିଲା ।