
- ୧୫ ଦିନ ଭିତରେ କାମ ନ ହେଲେ ହେବ ଆନ୍ଦୋଳନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ମଧ୍ୟ ଭାଗରେ ଅବସ୍ଥିତ ଲକ୍ଷ୍ମୀଯୋର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ଜଳଉତ୍ସ । ଏହାର ସୁରକ୍ଷା, ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଅତୀତରେ ଅନେକ ଯୋଜନା ଓ ପରିକଳ୍ପନା ହାତକୁ ନିଆଯାଇଥିଲା । ବିଶେଷ କରି ୨୦୧୪ ମସିହା ପରେ ତତ୍କାଳୀନ ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନ ସଭାର ତତ୍କାଳୀତ ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କ ଉଦ୍ୟମ କ୍ରମେ ଲକ୍ଷ୍ମୀଯୋରରେ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ତତ୍କାଳିନ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ବିରୋଧ ଓ ବିଭିନ୍ନ ବାଧାବିଘ୍ନ କାରଣରୁ ଏହି ପ୍ରକଳ୍ପଟି ଅଧାପନ୍ତରିଆ ଅବସ୍ଥାରେ ରହିଗଲା । ଆଜି ଲକ୍ଷ୍ମୀଯୋରର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଏହାର ଜଳଶଯ୍ୟାରେ ଟନ୍ ଟନ୍ ଅଳିଆ ଆବର୍ଜନା ଜମା ହୋଇ ଜଳ ଓ ପରିବେଶକୁ ଗୁରୁତର ଭାବେ ପ୍ରଦୂଷିତ କରୁଛି । ଏହା ଦ୍ୱାରା ଦୁର୍ଗନ୍ଧ, ମଶାମାଛିଙ୍କ ପ୍ରାଦୁର୍ଭାବ ଏବଂ ଜନସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେବା ସହ ସହରର ପରିବେଶଗତ ସନ୍ତୁଳନ ମଧ୍ୟ ବିପର୍ଯ୍ୟସ୍ତ ହେଉଛି । ସହରର ପରିମଳ ବ୍ୟବସ୍ଥା, ଜଳଉତ୍ସ ଗୁଡିକର ସୁରକ୍ଷା ଓ ସ୍ୱଚ୍ଛତା ବଜାୟ ରଖିବା ବଲାଙ୍ଗିର ପୌରପାଳିକାର ଏକ ପ୍ରମୁଖ ଦାୟିତ୍ୱ । କିନ୍ତୁ ଅତ୍ୟନ୍ତ ପରିତାପର ବିଷୟ ଯେ, ଯେଉଁ ପୌରପାଳିକା ସହରକୁ ସ୍ୱଚ୍ଛ ରଖିବାର ଦାୟିତ୍ୱ ବହନ କରୁଛି, ସେହି ପୌରପାଳିକା ପକ୍ଷରୁ ଲକ୍ଷ୍ମୀଯୋରର ଜଳଶଯ୍ୟାକୁ ଆବର୍ଜନା ପକାଇ ଲକ୍ଷ୍ମୀଯୋରକୁ ଦୂଷିତ କରୁଛି । ଏହି ସମସ୍ୟାର ସମାଧାନ ପାଇଁ କ୍ଷୁଦ୍ର ଜଳସେଚନ ବିଭାଗକୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ଏଯାବତ୍ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ । ବିଭାଗୀୟ ସମନ୍ୱୟର ଅଭାବ ଓ ପ୍ରଶାସନିକ ଉଦାସୀନତା ଯୋଗୁଁ ଲକ୍ଷ୍ମୀଯୋରର ଅବସ୍ଥା ଦିନକୁ ଦିନ ଅଧିକ ଦୟନୀୟ ହେବାରେ ଲାଗିଛି । ତେଣୁ ନିମ୍ନ ଲିଖିତ ଦାବିକୁ ନେଇ ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଲକ୍ଷ୍ମୀଯୋର ସମଗ୍ର ଜଳଶଯ୍ୟାରୁ ଜମା ହୋଇଥିବା ଅଳିକା ଆବର୍ଜନା ତୁରନ୍ତ ସଫା କରାଯାଉ, ଲକ୍ଷ୍ମୀଯୋରକୁ ଆବର୍ଜନାମୁକ୍ତ ରଖିବା ପାଇଁ ସ୍ଥାୟୀ ପରିମଳ ବ୍ୟବସ୍ଥା ଓ ନିୟମିତ ସଫେଇର ବ୍ୟବସ୍ଥା କରାଯାଉ, ଲକ୍ଷ୍ମୀଯୋର ମଧ୍ୟରେ ଆବର୍ଜନା ପକାଇବା ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯିବା ସହ ଦୋଷୀଙ୍କ ବିରୋଧରେ ଆଇନାନୁଯାୟୀ ପଦକ୍ଷେପ ନିଆଯାଉ । ଯଦି ଏହି ଦାବି ଗୁଡିକ ପ୍ରଶାସନ ତରଫରୁ ୧୫ ଦିନ ଭିତରେ ପୂରଣ ନ କଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ନଗର କଂଗ୍ରେସ ସଭାପତି ବୁଲୁ ଦାନି ଚେତାଇ ଦେଇଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ କାର୍ଯ୍ୟକାରୀ ସଭାପତି ମନୀଷ ମିଶ୍ର, ଓମ୍ ପ୍ରକାଶ କୁମ୍ଭାର, କୈଳାସ ମିଶ୍ର, ସଂଜୟ ମିଶ୍ର, ଜ୍ୟୋତି ରଂଜନ ନାଗ, ହିମାଂଶୁ ନାଏକ, ଜିଲ୍ଲା କୃଷକ ସଂଘ ସଭାପତି ସାନନ୍ଦ ମିଶ୍ର, ସମିର କୁମ୍ଭାର, ଯୁବ କଂଗ୍ରେସ ସଭାପତି ଅଙ୍କିତ ସାହୁ, ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ସାହୁ, ଲୋପନ ମିଶ୍ର, ସୀତାରାମ କୁମ୍ଭାର, ଜ୍ୟୋତିଷ ମୁଗ୍ରୀ, ସୋହନ ନାଗ ପ୍ରମୁଖ ସାମିଲ ଥିଲେ ।