
କେସିଙ୍ଗା, (ପ୍ରୀତେଶ ପଟେଲ) : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାଠାରେ ରାଷ୍ଟ୍ରୀୟ ବାଲ୍ ବୈଜ୍ଞାନିକ ଆବିଷ୍କାର ଅଭିଯାନ ଅନ୍ତର୍ଗତ ଏକ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ବେହେରା ଏହି ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ଏଥିରେ ଛାତ୍ରୀମାନେ ବିଭିନ୍ନ ବୈଜ୍ଞାନିକ ପ୍ରକଳ୍ପ, ମଡେଲ୍ ଓ ନୂତନ ଚିନ୍ତାଧାରା ଉପସ୍ଥାପନ କରି ନିଜର ବୈଜ୍ଞାନିକ ମନୋଭାବ, ସୃଜନଶୀଳତା ଓ ଅନୁସନ୍ଧାନମୂଳକ ପ୍ରତିଭାର ପରିଚୟ ଦେଇଥିଲେ । ପ୍ରଦର୍ଶନୀର ବିଚାରକ ଭାବେ ଅଭୟ କୁମାର ଦେବତା, ତରୁଣକାନ୍ତି ମିଶ୍ର, ଶ୍ରୀମତୀ ତପସ୍ୱିନୀ ମିଶ୍ର ଓ ଶ୍ରୀମତୀ ପ୍ରୀତିମୟୀ ସାହୁ ଯୋଗଦେଇ ପ୍ରଦର୍ଶିତ ସମୁଦାୟ ୩୭ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ । ଅପରାହ୍ନରେ ଆୟୋଜିତ ପୁରସ୍କାର ବିତରଣୀ ସଭାରେ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, କେସିଙ୍ଗାର ପ୍ରଧାନଶିକ୍ଷକ ହେମାନନ୍ଦ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଆର୍ତ୍ତତ୍ରାଣ ଷଡ଼ଙ୍ଗୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ବେହେରା ଅଧ୍ୟକ୍ଷତା କରିଥିଲେ । ସଭାକୁ ଜି. କ୍ରିଷ୍ଣା ରେଡ୍ଡୀ ସଂଯୋଜନା କରିଥିଲେ । ପ୍ରତିଯୋଗିତାର କନିଷ୍ଠ ବିଭାଗରେ ମନୀଷା ଭୋଇ ପ୍ରଥମ, ମେଘା ପୋଢ଼ ଦ୍ୱିତୀୟ ଓ ସୁଂଯୁକ୍ତା ପାଣି ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବିଭାଗରେ ଲିପ୍ସା ବିହାରୀ ପ୍ରଥମ, ସ୍ମୃତିରେଖା ଜାଲ ଦ୍ୱିତୀୟ ଓ ସସ୍ମିତା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ପୁରସ୍କୃତ ହୋଇଥିଲେ । ଶେଷରେ ନିପେନ୍ଦ୍ର ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ, ଛାତ୍ରୀ ଓ ଏନ୍.ସି.ସି. ସଦସ୍ୟମାନଙ୍କର ସକ୍ରିୟ ସହଯୋଗ ରହିଥିଲା । ଏହି ପ୍ରଦର୍ଶନୀ ଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ, ନୂତନ ଉଦ୍ଭାବନର ମନୋଭାବ ଓ ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ହେବ ବୋଲି ଆଶା ପ୍ରକଟ କରାଯାଇଥିଲା ।