jayashree

ଧାନମଣ୍ଡିରେ ଚାଷୀଙ୍କ ଗର୍ଜନ, ଉଠିଲା ଟୋକନ ଓ କଟଣିଛଟଣୀ ସମସ୍ୟା

  • ଦଲାଲମୁକ୍ତ ଧାନ ବଜାର ସହ ସବୁ ଜମି ପାଇଁ ଏକକାଳୀନ ଟୋକନ ଦାବି

ବରଗଡ, (ମୁନ୍ନା ସାହୁ) : ଧାନ ବିକ୍ରିକୁ ନେଇ ଚାଷୀଙ୍କ ସମସ୍ୟା ଦୂର କରିବା ସହ ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ସୁରୁଖୁରୁ କରିବା ପାଇଁ ଏକାଠି ହେଲେ ଶତାଧିକ ଚାଷୀ। ବରଗଡ଼ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଆଦର୍ଶ ଧାନମଣ୍ଡିଠାରେ ସଂଯୁକ୍ତ କୃଷକ ସଙ୍ଗଠନର ବ୍ଲକ ଶାଖା ପକ୍ଷରୁ ଏକ ପଞ୍ଚାୟତସ୍ତରୀୟ କୃଷକ ସଚେତନତା ଶିବିର ଆୟୋଜିତ ହୋଇଥିଲା । ଗୁଣନିଧି ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରରେ ଚାଷୀଙ୍କ ବିଭିନ୍ନ ସମସ୍ୟା ଓ ଧାନକିଣା ବ୍ୟବସ୍ଥାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଶିବିରରେ ପଞ୍ଜିକୃତ ଚାଷୀଙ୍କ ସମସ୍ତ ଜମି ପାଇଁ ଏକାଥରକେ ଟୋକନ ପ୍ରଦାନ, ଧାନରେ କଟଣିଛଟଣୀ ବନ୍ଦ ଏବଂ ଦଲାଲମୁକ୍ତ ମଣ୍ଡି ବ୍ୟବସ୍ଥା କରିବାକୁ ଚାଷୀମାନେ ଦାବି ଉଠାଇଥିଲେ । ଚଳିତ ବର୍ଷ ଧାନକିଣା ପ୍ରକ୍ରିୟା ଯେପରି ବିନା ବାଧାରେ ସମ୍ପନ୍ନ ହେବ, ସେଥିପାଇଁ ପ୍ରଶାସନ ଓ ଯୋଗାଣ ବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ ବକ୍ତାମାନେ ମତ ରଖିଥିଲେ । ଏହି ଅବସରରେ ତହସିଲଦାର ରୁକ୍ମଣ ମେହେର କୁମ୍ଭାରୀ ମଣ୍ଡିକୁ ରାଜ୍ୟର ଏକ ଆଦର୍ଶ ମଣ୍ଡି ଭାବେ ଗଢ଼ି ତୋଳିବାର ସମସ୍ତ ଯୋଗ୍ୟତା ରହିଥିବା କହିବା ସହ ଚାଷୀଙ୍କୁ ସମସ୍ତ ପ୍ରକାର ସହଯୋଗ ଓ ସହାନୁଭୂତି ଯୋଗାଇଦେବାକୁ ଆଶ୍ୱାସନା ଦେଇଥିଲେ । ସୂଚନା ଅନୁସାରେ, ଗତ ଖରିଫ ଋତୁରେ ଏହି ମଣ୍ଡିରେ ପ୍ରାୟ ୩୫ ହଜାର କ୍ୱିଣ୍ଟାଲ ଧାନ ବିକ୍ରି ହୋଇଥିଲା । ଚଳିତ ବର୍ଷ ଏହାଠାରୁ ଅଧିକ ଧାନ ସଂଗ୍ରହ ହେବାର ଆଶା ରହିଛି । ଏଥିପାଇଁ ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟରେ ନୂତନ ମଣ୍ଡି ନିର୍ମାଣ କାର୍ଯ୍ୟ ଚାଲିଥିଲେ ମଧ୍ୟ ଏହାର ମନ୍ଥର ଗତିକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଧାନକିଣା ପୂର୍ବରୁ ନିର୍ମାଣ କାମ ଶେଷ କରିବାକୁ ଦାବି ହୋଇଥିଲା । ଏହି ଶିବିରରେ ଯୋଗାଣ ଅଧିକାରୀ ମୋନିକା ମିଶ୍ର, ରାଜସ୍ୱ ନିରୀକ୍ଷକ ଚୈତନ୍ୟ ବରିହା, ଡା. ଆୟୁଷମାନ ଶତପଥୀ, ପିଆଇଓ ସୁଶାନ୍ତ ଦାସ, ଭିଏଡବ୍ଲୁ ବୀରେନ୍ଦ୍ର ହୋଇ, ପେକ୍ସ ସମ୍ପାଦକ ଅଗସ୍ତି ପଧାନଙ୍କ ସମେତ ସଂଯୁକ୍ତ କୃଷକ ସଙ୍ଗଠନର କର୍ମକର୍ତ୍ତା ଓ ବିଭିନ୍ନ ଗ୍ରାମର ଶତାଧିକ ଚାଷୀ ଏବଂ ମହିଳା ଚାଷୀ ଯୋଗ ଦେଇଥିଲେ । ଶେଷରେ ଆଗାମୀ ଦିନରେ ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ହେବାକୁ ଥିବା ବିଶାଳ କୃଷକ ସମାବେଶକୁ ସଫଳ କରିବା ପାଇଁ ସମସ୍ତ ଚାଷୀଙ୍କ ସହଯୋଗ ଓ ଉପସ୍ଥିତି କାମନା କରିଥିଲେ ଭୁବନ ପଧାନ ।

Leave A Reply

Your email address will not be published.