jayashree

ମୁଣ୍ଡାରୀ ଭାଷାକୁ ସାମ୍ବିଧାନିଜ ସ୍ୱୀକୃତି ଦାବିରେ ବିଜେପି ରାଜ୍ୟ ସଭାପତିଙ୍କୁ ସ୍ମାରକପତ୍ର ପ୍ରଦାନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୁଣ୍ଡାରୀ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରାଯିବା ଦାବିରେ ମୁଣ୍ଡାରୀ ଭାଷା ସମନ୍ୱୟ ସମିତି ପକ୍ଷରୁ ବିଜେପି ଓଡ଼ିଶା ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସମିତିର ମୁଣ୍ଡାରୀ ଭାଷା ସ୍ୱୀକୃତି ସମ୍ପର୍କିତ ତଥ୍ୟ ଓ ତର୍କଗୁଡ଼ିକୁ ଶ୍ରୀ ସାମଲ ସହାନୁଭୂତି ଓ ସକାରାତ୍ମକତାର ସହ ଶୁଣିଥିବାର ସୂଚନା ମିଳିଛି । ସୋମବାର ସନ୍ଧ୍ୟାରେ ଭୁବନେଶ୍ୱରରେ ସାହିତ୍ୟିକ ସମାଜସେବୀ ତଥା ବିଜେପି ରାଜ୍ୟ ପ୍ରବକ୍ତା କବି ବିଷ୍ଣୁ ଶତପଥୀଙ୍କ ତତ୍ୱାବଧାନରେ ଶ୍ରୀ ସାମଲଙ୍କ ସହ ମୁଣ୍ଡାରୀ ଭାଷା ପ୍ରତିନିଧି ଦଳର ଏହି ସାକ୍ଷାତ, ଆଲୋଚନା ଓ ତଥ୍ୟ-ସମ୍ବଳିତ ଦାବିପତ୍ର ପ୍ରଦାନ ଅନୁଷ୍ଠିତ ହୋଇଥିବା ଏବଂ ଏହି ନଅ-ଜଣିଆ ପ୍ରତିନିଧି ଦଳରେ ସମନ୍ୱୟ ସମିତିର କେନ୍ଦ୍ରୀୟ ଆବାହକ ବୀରବଲ ସିଂହ, ପ୍ରମୁଖ କର୍ମକର୍ତ୍ତା ଝାଡ଼େଶ୍ୱର ସିଂହ ସାଣ୍ଡିଲ ଓ ପଙ୍କଜ କୁମାର ନାଗ, ସାଧାରଣ ସମ୍ପାଦକ ଶଶୀଧର ସିଂହ, ବଡ଼ସାହି ବ୍ଲକ ସମ୍ପାଦକ ବୈଦ୍ୟନାଥ ସିଂହ, ବେତନଟୀ ବ୍ଲକ ସମ୍ପାଦକ ତପନ ସିଂହ ଓ “ମୁଣ୍ଡାରୀ ୟୁଟ୍ୟୁବର୍ ପ୍ରଯୋଜକ କଳାକାର ସଂଘ” ସାଧାରଣ ସମ୍ପାଦକ ଲକ୍ଷ୍ମୀରାମ ସିଂହ ପ୍ରମୁଖ ସାମିଲ ଥିବା ଜଣାଯାଇଛି । ଓଡ଼ିଶାର ଉତ୍ତରାଞ୍ଚଳ ତଥା ଓଡ଼ିଶା ବାହାରେ ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମ ବଙ୍ଗ, ଆସାମ, ତ୍ରିପୁରା ପ୍ରଭୃତି ଏକାଧିକ ରାଜ୍ୟରେ ବସବାସ କରୁଥିବା ବହୁସଂଖ୍ୟକ ମୁଣ୍ଡା, ଭୂମିଜ ଓ ତାମଡିଆ ସମାଜର ଲୋକ ଏହି ଭାଷାରେ କଥାବାର୍ତ୍ତା କରନ୍ତି, ଏହାର ନିଜସ୍ୱ ଲିପି, ପାଠ୍ୟ ପୁସ୍ତକ ଓ ବିବିଧ ସାହିତ୍ୟ ରହିଛି, ଭାରତ ସରକାରଙ୍କ “ଭାରତ ବାଣୀ”ରେ ଏହି ଭାଷାରେ ଲିଖିତ ପୁସ୍ତକ ସ୍ଥାନ ପାଇଛି, ଓଡ଼ିଶା ଓ ଝାଡ଼ଖଣ୍ଡ ରାଜ୍ୟ ସରକାର ଏହାକୁ ମାନ୍ୟତା ଦେବା ସପକ୍ଷରେ ମତ ଦେଇ କେନ୍ଦ୍ରକୁ ଚିଠି ଦେଇଛନ୍ତି, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡା, ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା, ପୂର୍ବତନ କେନ୍ଦ୍ରମନ୍ତ୍ରୀ କରିଆ ମୁଣ୍ଡା ପ୍ରମୁଖଙ୍କ ମାତୃଭାଷା ମଧ୍ୟ ଏହି ମୁଣ୍ଡାରୀ ବୋଲି ଆଲୋଚନା ବେଳେ ପ୍ରତିନିଧି ଦଳର ସଦସ୍ୟମାନେ ଶ୍ରୀ ସାମଲଙ୍କୁ କହିଥିଲେ ଏବଂ ଏସବୁ ଦୃଷ୍ଟିରୁ ଏହି ମୁଣ୍ଡାରୀ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ଦିଆଯିବା ଯଥାର୍ଥ ବୋଲି ସେମାନେ ବୁଝାଇଥିଲେ । ଚର୍ଚ୍ଚା, ଆଲୋଚନା ପୂର୍ବରୁ ଶ୍ରୀ ସାମଲଙ୍କୁ ପ୍ରତନିଧି ଦଳ ପକ୍ଷରୁ ମୁଣ୍ଡା ସମାଜର ପାରମ୍ପରିକ ଉତ୍ତରୀୟ ଓ ଚାଦର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.