
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବିଶିଷ୍ଟ ସମାଜସେବୀ, ସର୍ବୋଦୟ ଆନ୍ଦୋଳନର ପ୍ରବାଦ ପୁରୁଷ ତଥା ବନବାସୀ ସେବା ସମିତିର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ୧୧୧ତମ ଜୟନ୍ତୀ ପାଳନ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମିତି ପରିସରରେ ଆୟୋଜିତ ହୋଇଯାଇଛି । ଏହି ଶିବିରରୁ ମୋଟ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଶିବିରକୁ ମୁଖ୍ୟ ଅତିଥି ଭାବେ ବିଏସ୍ଏଫ୍ କମାଣ୍ଡାଣ୍ଟ ମାନସ ରଞ୍ଜନ ପଣ୍ଡା ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଡେପୁଟି କମାଣ୍ଡାଣ୍ଟ କମଳାକାନ୍ତ ଦାସ ଉପସ୍ଥିତ ଥିଲେ । ଏହି ଅବସରରେ ଅତିଥିମାନେ ରକ୍ତଦାନର ମହତ୍ତ୍ୱ ଓ ମାନବ ସେବାରେ ଏହାର ଭୂମିକା ସମ୍ପର୍କରେ ମତପ୍ରକାଶ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ଓ ସହସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡାଙ୍କ ସମେତ ରକ୍ତଦାନ ଶିବିର କମିଟିର ଆବାହକ ସରସ୍ୱତୀ ବେହେରା, ସଦସ୍ୟ ମାଧବ ଗମାଙ୍ଗ, ଦେବରାଜ କୈବର୍ତ୍ତ, ସୁରେଖା ଭୋଇ, ଜଗନ୍ନାଥ ପାତ୍ର, ଆଦିତ୍ୟ ପ୍ରସାଦ ପାତ୍ର, ପ୍ରଦୀପ ମାଝୀ, ରଶ୍ମିରେଖା ବେହେରା ଓ କୃତି ପ୍ରସନ୍ନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଶିବିରର ସୁପରିଚାଳନାରେ ସହଯୋଗ କରିଥିଲେ । ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଏସ୍. ରାମ ପାତ୍ରଙ୍କ ତତ୍ତ୍ୱାବଧାନରେ ସ୍ୱାସ୍ଥ୍ୟକର୍ମୀ ମାନେ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ରକ୍ତ ସଂଗ୍ରହ କରିଥିଲେ । ସ୍ୱର୍ଗତ ବିଶ୍ୱନାଥ ପଟ୍ଟନାୟକଙ୍କ ଜୀବନ ଦର୍ଶନ ଥିଲା ମାନବ ସେବା ଓ ସମାଜ କଲ୍ୟାଣ । ତାଙ୍କ ୧୧୧ତମ ଜୟନ୍ତୀ ଅବସରରେ ରକ୍ତଦାନ ଭଳି ମହତ୍ କାର୍ଯ୍ୟର ଆୟୋଜନ ତାଙ୍କ ସେବା ଓ ମାନବିକତାର ଆଦର୍ଶକୁ ସ୍ମରଣ କରାଇବା ସହ ରକ୍ତଦାନ ମାଧ୍ୟମରେ ଅନ୍ୟର ଜୀବନ ରକ୍ଷା ପାଇଁ ସମାଜକୁ ଏକ ସକାରାତ୍ମକ ବାର୍ତ୍ତା ପ୍ରଦାନ କରିଛି ।