
- ଭାଙ୍ଗିଲା ଲାଲବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି
- ଟ୍ରାଫିକ୍ ନିୟନ୍ତ୍ରଣରେ ପୋଲିସ ପ୍ରଶାସନର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ସହରରେ ଦିନକୁ ଦିନ ଟ୍ରାଫିକ୍ ସମସ୍ୟା ବଢ଼ିବାରେ ଲାଗିଛି । ସହରର ମୁଖ୍ୟ ରାସ୍ତାରେ ଦିନବେଳେ ଭାରିଯାନ ପ୍ରବେଶ କରି ଲୋଡିଂ ଓ ଅନଲୋଡିଂ କରୁଥିବାରୁ ସାଧାରଣ ଲୋକେ ଯାତାୟାତରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରିକି ଏକ ବାହାର ରାଜ୍ୟର ଗାଡ଼ି ଧକ୍କାରେ ସହରର ମୁଖ୍ୟ ରାସ୍ତାରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ସହରର ଟ୍ରାଫିକ୍ ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଦିନବେଳେ ନିୟମିତ ଭାବେ ଭାରିଯାନ ସହରର ମୁଖ୍ୟ ରାସ୍ତାରେ ପ୍ରବେଶ କରି ମାଲ୍ ଲୋଡିଂ ଓ ଅନଲୋଡିଂ କରୁଥିବା ବେଳେ ପୋଲିସ ପ୍ରଶାସନ କାହିଁକି ଏହା ଉପରେ ରୋକ୍ ଲଗାଉନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ସହରର ମୁଖ୍ୟ ରାସ୍ତାରେ ଭାରିଯାନ ଚଳାଚଳ ଓ ମନଇଚ୍ଛା ଲୋଡିଂ-ଅନଲୋଡିଂ ଯୋଗୁଁ ଟ୍ରାଫିକ୍ ଜାମ୍ ସୃଷ୍ଟି ହେବା ସହ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ୁଛି । ତେଣୁ ଭାରିଯାନ ପ୍ରବେଶ ଉପରେ ସମୟସୀମା ନିର୍ଦ୍ଧାରଣ, ଟ୍ରାଫିକ୍ ନିୟମର କଡ଼ାକଡ଼ି ପାଳନ ଏବଂ ଲୋଡିଂ-ଅନଲୋଡିଂ ଉପରେ ନିୟନ୍ତ୍ରଣ ଲଗାଇବାକୁ ଦାବି ହେଉଛି । ଏହି ଘଟଣା ପରେ କଣ୍ଟାବାଞ୍ଜି ସହରର ଟ୍ରାଫିକ୍ ନିୟନ୍ତ୍ରଣରେ ପୋଲିସ ପ୍ରଶାସନର ଭୂମିକାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ସନ୍ଦେହ ଓ ଅସନ୍ତୋଷ ପ୍ରକାଶ ପାଇଛି ।