
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଦେଓଗାଁବ୍ଲକ ମକୁନ୍ଦପୁର ଗ୍ରାମପଞ୍ଚାୟତର ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀର ପାଦଦେଶରେ ଆୟୋଜିତ ହେଉଥିବା ଦ୍ୱାଦଶ ଭୀମପାହାଡ ମହୋତ୍ସବ-୨୦୨୬ର ଦ୍ୱିତୀୟ ସଂଧ୍ୟାରେ କଂସ ଦରବାର ଓ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମରେ ମଞ୍ଚ ଦୁଲୁକିଛି । ସୋମବାର ସଂଧ୍ୟାରେ ଭଜନ ସଂଧ୍ୟା ପରେ ସାଂସ୍କୃତିକ ସଭା ଆୟୋଜିତ ହୋଇଥିଲା । ମହୋତ୍ସହ କମିଟିର ସଭାପତି ପ୍ରମୋଦ ବହିଦାରଙ୍କ ସଭାପତିତ୍ୱ ଓ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବଲାଙ୍ଗିର ପୌରପାଳିକା ଅଧ୍ୟକ୍ଷା ଲିକା ସାହୁ, ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ଦେଓଗାଁ ବ୍ଲକର ପୂର୍ବତନ ବ୍ଲକଅଧ୍ୟକ୍ଷା ରୀନା ମେହେର, ମୁକୁନ୍ଦପୁର ସରପଞ୍ଚ ଜାନକୀ ସାହୁ, କାଉନ୍ସିଲର ଗଙ୍ଗାଧର ଚାନ୍ଦ, ଶତୃଘ୍ନ ନାଗ ଯୋଗ ଦେଇଥିଲେ । ଏହି ଅବସରରେ କଣ୍ଠଶିଳ୍ପୀ ସୁରେନ୍ଦ୍ର ସାହୁ, ରୁଗୁଡିପାଲିର ସୁଶ୍ରୀ ଲକ୍ଷ୍ମୀପ୍ରିୟା ବାରିକ, ହାତୀସରାର ସୁଶ୍ରୀ ଝାନ୍ସୀରାଣୀ ସୁନା ଓ ରୁକ୍ମଣୀ ସୁନାଙ୍କୁ ଭୀମପାହାଡ ସମ୍ମାନ ପ୍ରଦାନ କରାଯାଇଥିଲା । କଳାକାର ରବିନ୍ଦ୍ର ସାହୁଙ୍କ ସାଥିଙ୍କ ଦ୍ୱାରା କଂସ ଦରବାର ଦର୍ଶକଙ୍କୁ ଖୁବ ମନ ମୋହିଥିଲା । ସେହିପରି ବଲାଙ୍ଗିରର ଏକତା ଡାନ୍ସଗ୍ରୁପ, ସାଗରପାଲି କେ.ଜି.ବି.ଭିର ଛାତ୍ରୀମାନଙ୍କ ଦ୍ୱାରା ଦଶାବତାର ନୃତ୍ୟ ଓ ବଲାଙ୍ଗିରର ଦେନାଚିଦେ କଳାପରିଷଦର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଆଜିଠାରୁ ପ୍ରହରୀ ମଣ୍ଡପରେ ଗିରିଗୋବର୍ଦ୍ଧନ ପୂଜା ଓ ଚବିଶପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଛି । ଅଞ୍ଚଳବାସୀଙ୍କ ପକ୍ଷରୁ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମହୋତ୍ସବ, ପ୍ରହରୀ ଓ ଗିରିଗୋବର୍ଦ୍ଧନ ପୂଜାରେ ହଜାର ହଜାର ଭକ୍ତ ସାମିଲ ହୋଇଛନ୍ତି । ମହୋତ୍ସବରେ କମିଟିର ଉପଦେଷ୍ଟା ଶୈଳେନ୍ଦ୍ର କୁମାର ସାହୁ, ନନ୍ଦି କିଶୋର ନାଏକ, ପଙ୍କଜ ବଗର୍ତ୍ତି, ପୀତବାସ ବିଶି, ଜଗତ କୁଅଁର, ଜୟଚନ୍ଦ୍ର ନାଏକ, ଜତନ ବାରିକ, ଯୁବରାଜ ସାହୁ, ଝସକେତନ ଜାନୀ ପ୍ରମୁଖଙ୍କ ସହିତ ଶତାଧିକ ଯୁବକ ସହଯୋଗ କରିଥିଲେ । ତୁଷୁରା ଓ ଦେଓଗାଁ ଥାନାର ପୋଲିସ ପକ୍ଷରୁ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।