jayashree

ଭୂସ୍ଖଳନ ବିସ୍ଥାପିତଙ୍କୁ ସହାୟତାର ହାତ ବଢ଼ାଇଲେ ବିଭିନ୍ନ ସଂଗଠନ

କନ୍ଧମାଳ : ଗଞ୍ଜାମ ସୀମାନ୍ତ ଗିଡ଼ିପାବାଲି ଭୂସ୍ଖଳନରେ ପ୍ରଭାବିତ ପରିବାରଙ୍କ ଦୁର୍ଦ୍ଦଶା ଏବେ ବି ଜାରି ରହିଛି । ବିଭିନ୍ନ ଆଶ୍ରୟସ୍ଥଳରେ ରହୁଥିବା ବିସ୍ଥାପିତଙ୍କୁ ସହାୟତାର ହାତ ବଢ଼ାଉଛନ୍ତି ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ । ଏହି କ୍ରମରେ କଂଗ୍ରେସର ବରିଷ୍ଠ ରାଷ୍ଟ୍ରୀୟ ସଂଯୋଜକ ପ୍ରତାପ ପ୍ରଧାନ ଏବଂ ପେଟାପାଙ୍ଗା ସରପଞ୍ଚଙ୍କ ନେତୃତ୍ୱରେ ପ୍ରଭାବିତ ପରିବାରଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି । ପ୍ରଥମେ ପ୍ରତାପ ପ୍ରଧାନଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଭୂସ୍ଖଳନ ସ୍ଥଳ ଗିଡ଼ିପାବାଲି ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ କିଲାପାଙ୍ଗା ଆଶ୍ରୟସ୍ଥଳରେ ପହଞ୍ଚି ବିସ୍ଥାପିତ ପରିବାରଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ବୁଝିଥିଲେ । ଏଥିସହ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରିଥିଲେ । ଏହି ସମୟରେ ଘୁ. ଉଦୟଗିରି ଏନ୍‌ଏସିର ୮ ନମ୍ବର ୱାର୍ଡ କାଉନସିଲର ଜାକେଶ କୁମାର ପ୍ରଧାନ, ନଗର ସଭାପତି ସୁବ୍ରମଣ୍ୟମ ନାୟକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ସେହିପରି ପେଟାପାଙ୍ଗା ସରପଞ୍ଚ ପୁଷ୍ପାଞ୍ଜଳି ମଲ୍ଲିକଙ୍କ ନେତୃତ୍ୱରେ ୧୦୦ରୁ ଊର୍ଦ୍ଧ୍ୱ ପୁରୁଷ, ମହିଳା ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଘୁ. ଉଦୟଗିରିସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ପହଞ୍ଚିଥିଲେ । ସେଠାରେ ଆଶ୍ରୟ ନେଇଥିବା ଭୂସ୍ଖଳନ ପ୍ରଭାବିତ ଏବଂ ପ୍ରିୟଜନଙ୍କୁ ହରାଇଥିବା ପରିବାରଙ୍କୁ ପୋଷାକ ସମେତ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରିଥିଲେ । ବିପଦର ଏହି କଠିନ ସମୟରେ ପ୍ରଭାବିତ ପରିବାରଙ୍କ ପାଖରେ ଛିଡ଼ା ହେବା, ସେମାନଙ୍କ ଦୁଃଖରେ ସାମିଲ ହେବା ସହ ମାନସିକ ସାହସ ଓ ସାନ୍ତ୍ୱନା ଦେବା ହିଁ ଏହି ସହାୟତା କାର୍ଯ୍ୟର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକମାନେ କହିଛନ୍ତି ।

Leave A Reply

Your email address will not be published.