
ବଲାଙ୍ଗିର, (କେପିଏନ୍ଏସ୍) : ମାଣ୍ଡିଆର ମହକରେ ମହକିଲା ବଲାଙ୍ଗିର । ପାରମ୍ପରିକ ଖାଦ୍ୟରୁ ଆଧୁନିକ ସୁପରଫୁଡ୍ର ମାନ୍ୟତା ପାଇଥିବା ମାଣ୍ଡିଆକୁ ନେଇ ପାଳିତ ହୋଇଛି ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ । ଏହି ଅବସରରେ ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ଷ୍ଟଲ୍ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା । ମାଣ୍ଡିଆ ପିଠା, ଲଡୁ, ଖିରି, ବିସ୍କୁଟ ଓ ଉପମା ଭଳି ଖାଦ୍ୟର ସ୍ୱାଦ ନେଇଥିଲେ ଲୋକେ । ପର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ବହୁ ଚାଷୀ ସାମିଲ ହୋଇ ମାଣ୍ଡିଆର ଉପକାରିତା ଓ ଏଥିରୁ ପ୍ରସ୍ତୁତ ଖାଦ୍ୟର ପ୍ରଚାର କରିଥିଲେ । ପୁଷ୍ଟିସାର, କ୍ୟାଲସିୟମ ଓ ଆଇରନ୍ରେ ଭରପୂର ମାଣ୍ଡିଆ ଶରୀରକୁ ପୋଷଣ ଯୋଗାଇବା ସହ ଅପପୁଷ୍ଟି ଦୂର କରିବାରେ ବେଶ୍ ସହାୟକ । ଅନ୍ୟପଟେ କମ୍ ପାଣି ଓ କମ୍ ଖର୍ଚ୍ଚରେ ଚାଷ ହେଉଥିବାରୁ ଏହା ଚାଷୀଙ୍କ ପାଇଁ ମଧ୍ୟ ଲାଭଦାୟକ । ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲାର ପ୍ରାୟ ୮ ହଜାର ୨ ଶହ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯାଉଛି । ମାଣ୍ଡିଆ ଚାଷର ପରିସର ବୃଦ୍ଧି, ଚାଷୀଙ୍କୁ ପ୍ରୋତ୍ସାହନ ଏବଂ ଏହାର ବଜାର ଚାହିଦା ବଢ଼ାଇବା ଲକ୍ଷ୍ୟରେ ଏଭଳି ଆୟୋଜନ କରାଯାଇଛି । ସୁସ୍ଥ ଜୀବନ ସହ ଚାଷୀଙ୍କ ଆର୍ଥିକ ସମୃଦ୍ଧିର ନୂଆ ଆଶା ଦେଖାଉଛି ମାଣ୍ଡିଆ ।