jayashree

ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍ କ୍ରିକେଟରେ ପାଇକମାଲ ଚାମ୍ପିୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ରେ ଚାଲିଥିବା ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍ ବାଳକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ନଭେମ୍ବର ୫ ରୁ ୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଗାଇସିଲେଟ୍ ଦଳକୁ ପରାସ୍ତ କରି ପାଇକମାଲ ବ୍ଲକ ଚାମ୍ପିୟନ ଟ୍ରଫି ହାସଲ କରିଛି । ଏହି ପ୍ରତିଯୋଗିତାରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ଗୋଟିଏ ଲେଖାଏଁ ଦଳ ହିସାବରେ ମୋଟ ୧୨ଟି ଟିମ୍ ଭାଗ ନେଇଥିଲେ । ମାଣ୍ଡୋସିଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ତଥା ପାଇକମାଲ ଟିମ୍‌ର ଅଧିନାୟକ ଶିବ କୁମାର ରାଉତଙ୍କ ନେତୃତ୍ୱରେ ପାଇକମାଲ ଟିମ୍ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଫାଇନାଲ ମ୍ୟାଚ୍‌ରେ ପାଇକମାଲ ଟିମ୍‌ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୧୩୬ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଜବାବରେ ଗାଇସିଲେଟ୍ ଦଳ ୨୦ ଓଭରରେ ମାତ୍ର ୧୦୦ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ପୂର୍ଣ୍ଣଚନ୍ଦ୍ର ସାହୁ ଫାଇନାଲ ମ୍ୟାଚ୍‌ରେ ମାତ୍ର ୨୭ଟି ବଲରୁ ୬୧ ରନ୍‌ର ବିସ୍ଫୋରକ ଇନିଂସ ଖେଳି ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଶ୍ରେଷ୍ଠ ବ୍ୟାଟିଂ ପାଇଁ ତାଙ୍କୁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ଟ୍ରଫି ପ୍ରଦାନ କରାଯାଇଥିଲା । ପାଇକମାଲ ଟିମ ଚାମ୍ପିୟନ ହେବା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁଭମ କୁମାର ପତି ବିଜୟୀ ଟିମ୍‌କୁ ଶୁଭେଚ୍ଛା ଜଣାଇଥିଲେ । ବ୍ଲକର ସମସ୍ତ ଶିକ୍ଷକ ଓ ଅଭିଭାବକ ମହଲରୁ ବିଜୟୀ ଟିମ୍‌କୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave A Reply

Your email address will not be published.