
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ ଆସନ୍ତା ନଭେମ୍ବର ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ଗିରିଗୋବର୍ଦ୍ଧନ ମହୋତ୍ସବ ୨୦୨୬ ଅନୁଷ୍ଠିତ ହେବ । ଗିରିଗୋବର୍ଦ୍ଧନ ମହୋତ୍ସବ କମିଟି, ମା’ ସାହାଜି ଯୁବକ ସଂଘ ତଥା ଅଞ୍ଚଳବାସୀଙ୍କ ପକ୍ଷରୁ ମହୋତ୍ସବ ଆୟୋଜନ କରାଯାଇଛି । ମହୋତ୍ସବ କମିଟି ପକ୍ଷରୁ ଆଜି କପିଲାଭଟା ଗାଁର ମୁଖ୍ୟ ଛକ ଠାରେ ଲୋଗୋ ଉନ୍ମୋଚନ କରାଯାଇଛି । କମିଟିର ସଂଯୋଜକ ହୁଲେଶ୍ୱର ହଂସଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସାଂସ୍କୃତିକ ଦଳ ଗୁଡିକ ସାମିଲ ହେବେ । ବିଭିନ୍ନ କ୍ଷେତ୍ରରେ ମାନ୍ୟଗଣ୍ୟ ବ୍ୟକ୍ତି ବଙ୍ଗୋମୁଣ୍ଡା ଆଇଆଇସି ସଞ୍ଜୀବ କୁମାର ପ୍ରଧାନ, ସାମ୍ବାଦିକ ରଶ୍ମି ରଞ୍ଜନ ପୁଟେଲ, ସାହିତ୍ୟିକ ଡଃ. ନାରାୟଣ ମିଶ୍ର, ହାଇସ୍କୁଲ ପ୍ରଧାନଶିକ୍ଷକ ଅରୁଣ କୁମାର ବାରିକ, ୟୁପି ସ୍କୁଲ ପ୍ରଧାନଶିକ୍ଷକ ଟଙ୍କଧର ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଜଣାପଡିଛି । ସଭାପତି ଯୁବରାଜ ହଂସ, ଉପସଭାପତି ହରପ୍ରସାଦ ହଂସ, ସମ୍ପାଦକ ଅନନ୍ତରାମ ହଂସ, ସହ ସମ୍ପାଦକ ନରେନ୍ଦ୍ର ପୁଞ୍ଜି, କୋଷାଧ୍ୟକ୍ଷ ଭାବେ ମନମଥ ହଂସ, ସଦସ୍ୟ ଥମିର ଜାନି, କୁବେର ହଂସ, ସନ୍ତୋଷ ହଂସ, ଈଶ୍ୱର ହଂସ, ସୟମ୍ ହଂସ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ନଭେମ୍ବର ୦୯ ତାରିଖ ସନ୍ଧ୍ୟା ୬ ଘଟିକାରେ ଉଦ୍ଘାଟନୀ ସାଧାରଣ ସଭା ପରେ ଡ୍ୟାନ୍ସ ଧମାକା ୨୦୨୬, ନଭେମ୍ବର ୧୦ ତାରିଖ ସନ୍ଧ୍ୟା ୬ ଘଟିକାରେ ଦ୍ଵିତୀୟ ରଜନୀ ସାଧାରଣ ସଭା ପରେ ରାତ୍ରରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଲଛିପୁର ଗାଁର କାଳ୍ପନିକ ନାଟକ “ଲୁହରେ ଲୁହରେ ଲେଖୁଛି ଗପ ସାବତ ବାପ ଅସତ ଗପ” ମଂଚସ୍ଥ ହେବ, ୧୧ ତାରିଖରେ ସନ୍ଧ୍ୟା ୬ ଘଟିକାରେ ଉଦଯାପନୀ ଉତ୍ସବ ସାଧାରଣ ସଭା ପରେ ରାତ୍ରିରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବୁଢ଼ୀପଦର ଗାଁର କାଳ୍ପନିକ ନାଟକ “ଜୀବନ ଭାସୁଛି ଆଖି ଲୁହରେ” ମଂଚସ୍ଥ ହେବ ବୋଲି ନିଷ୍ପତି ନିଆଯାଇଛି । ପ୍ରତ୍ୟେହ ସନ୍ଧ୍ୟାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ବୋଲି ସୂଚନା ମିଳିଛି । ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ସାତ କୁଆଁରୀ ସାଂସ୍କୃତିକ ପରିଷଦ ପାଟଣାଗଡ଼, ଢେମସା ରାୟଗଡା, ସଙ୍ଗୀତ ସାଧନା ଲୋଇସିଂହା ସହ ବିଭିନ୍ନ ସାଂସ୍କୃତିକ ଦଳ ଗୁଡିକ ଯୋଗ ଦେବେ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।