jayashree

ତିନି ମାସ ପରେ ବି ମିଳୁନି ନିଖୋଜ ଛାତ୍ରଙ୍କ ପତ୍ତା, ଉତ୍ତେଜନା : ନ୍ୟାୟ ଦାବିରେ ଆଶ୍ରମ ସ୍କୁଲରେ ତାଲା ପକାଇଲେ ମା’ ଓ ଗ୍ରାମବାସୀ, ପ୍ରଧାନ ଶିକ୍ଷକଙ୍କ ଭୂମିକାକୁ ନେଇ ସନ୍ଦେହ

ରାୟଗଡ଼ା, (ଅକ୍ଷୟ କୁମାର ପିଡିସିକା) : ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ଡାଙ୍ଗସରଡ଼ା ଆଶ୍ରମ ସରକାରୀ ଉଚ୍ଚ ବିଦ୍ୟାଳୟରୁ ନିଖୋଜ ହୋଇଥିବା ୧୨ ବର୍ଷୀୟ ଛାତ୍ର କୁନାଲ ଶବରଙ୍କ ଏଯାଏଁ ମିଳିନାହିଁ ପତ୍ତା। ତିନି ମାସ ବିତିଯାଇଥିଲେ ମଧ୍ୟ ପୁଲିସ ତଦନ୍ତରୁ କୌଣସି ସୁରାକ୍ ମିଳିନଥିବାରୁ ତାତିଛନ୍ତି ପରିବାର ଓ ଗ୍ରାମବାସୀ। ନିଖୋଜ ପୁଅକୁ ଖୋଜି ଆଣିବା ଦାବିରେ ମା’ଙ୍କ ସହ ଗ୍ରାମବାସୀ ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ସୂଚନା ଅନୁସାରେ, ଯୁଗାପଦର ଗ୍ରାମର ସ୍ୱର୍ଗତ ମନୋଜ ଶବରଙ୍କ ପୁଅ କୁନାଲ ଡାଙ୍ଗସରଡ଼ା ଆଶ୍ରମ ବିଦ୍ୟାଳୟରେ ରହି ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିଲେ । ଗତ ଜୁଲାଇ ୩୧ ତାରିଖରେ ହଷ୍ଟେଲରୁ ସେ ନିଖୋଜ ହୋଇଯାଇଥିଲେ । ଅଭିଯୋଗ ଅନୁଯାୟୀ, ଏ ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ପରିବାରକୁ ଅବଗତ କରିନଥିଲେ। ଘଟଣାର ଛଅ ଦିନ ପରେ ପରିବାର ଲୋକେ ଖବର ପାଇ ପ୍ରଧାନ ଶିକ୍ଷକଙ୍କୁ ପଚାରିଥିଲେ। କିନ୍ତୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ପରେ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ଡାଙ୍ଗସରଡ଼ା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଦୀର୍ଘ ତିନି ମାସ ଧରି ଅପେକ୍ଷା କରିବା ସତ୍ତ୍ୱେ କୁନାଲଙ୍କ କୌଣସି ଖୋଜଖବର ନମିଳିବାରୁ ଗ୍ରାମବାସୀଙ୍କ ଧୈର୍ଯ୍ୟର ସୀମା ଭାଙ୍ଗିଯାଇଥିଲା। ସ୍କୁଲ ଫାଟକରେ ତାଲା ପକାଇ ନିଖୋଜ ଛାତ୍ରଙ୍କୁ ତୁରନ୍ତ ଖୋଜି ଆଣିବାକୁ ଦାବି କରିଥିଲେ। ଏପରିକି କୁନାଲଙ୍କ ସନ୍ଧାନ ନମିଳିବା ପର୍ଯ୍ୟନ୍ତ ସ୍କୁଲରେ ତାଲା ଝୁଲିବ ବୋଲି ଚେତାବନୀ ଦେଇଥିଲେ। ଖବର ପାଇ ଏସ୍‌ଡିପିଓ ସନ୍ତୋଷିନୀ ଓରାମ ଏବଂ ମୁନିଗୁଡ଼ା ଥାନା ଅଧିକାରୀ ଲଳିତ ସାଗର ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ପୁଲିସର ବୁଝାସୁଝା ପରେ ସ୍କୁଲରୁ ତାଲା ଖୋଲାଯାଇଥିଲା। ତେବେ ଏହି ଘଟଣାକୁ ନେଇ ଏବେ ଆହୁରି ଗମ୍ଭୀର ପ୍ରଶ୍ନ ଉଠିଛି। ପରିବାର ଲୋକଙ୍କୁ ନେଇ ଭିନ୍ନ ଭିନ୍ନ ବୟାନ ଦିଆଯିବା ସହ କୁନାଲଙ୍କୁ ଖୋଜିବା ପାଇଁ ଦେଢ଼ ଲକ୍ଷ ଟଙ୍କା ଦେବାକୁ କେହି କହିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ, ପ୍ରତିବାଦ ସମୟରେ ପ୍ରଧାନ ଶିକ୍ଷକ ସ୍କୁଲ ପଛପଟ ନଦୀ ଓ ଜଙ୍ଗଲ ରାସ୍ତା ଦେଇ ଚାଲିଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ପ୍ରଧାନ ଶିକ୍ଷକଙ୍କ ଭୂମିକା ଉପରେ ସନ୍ଦେହ ଘନୀଭୂତ ହୋଇଛି। ଏବେ ସବୁଠୁ ବଡ଼ ପ୍ରଶ୍ନ, କୁନାଲ ଗଲେ କୁଆଡ଼େ ? ତିନି ମାସ ଧରି ଜଣେ ନାବାଳକ ଛାତ୍ରଙ୍କ ସନ୍ଧାନ କାହିଁକି ମିଳୁନାହିଁ ? ଏହି ଘଟଣାରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ କେତେ ? ଏବେ ନିଜ ପୁଅର ଫେରିବା ବାଟକୁ ଚାହିଁ ବସିଛି ଅସହାୟ ପରିବାର। କୁନାଲଙ୍କୁ ଶୀଘ୍ର ଠାବ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି ଜୋର ଧରିଛି।

Leave A Reply

Your email address will not be published.