
ବାରିପଦା, (ଦେବସ୍ମିତ ଚୌଧୁରୀ) : ପାଲବାଣୀସ୍ଥିତ ଶ୍ରୀ ଜଗନ୍ନାଥ କଳା ଏକାଡେମୀର ପ୍ରଥମ ବାର୍ଷିକ ଉତ୍ସବ ଗୁରୁବାର ସ୍ଥାନୀୟ ସହିଦ ସ୍ମୃତିଭବନ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ଜିଲ୍ଲାସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା । ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୧ ତାରିଖରେ ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କରେ ଏହି ଜିଲ୍ଲାସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏକାଡେମୀର ଅଧ୍ୟକ୍ଷା ଶୁଭସ୍ମିତା ଭାରତୀ ହୋତାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟି ସୁବାସ ଚନ୍ଦ୍ର ରାଉତ, ରାକେଶ କୁମାର ବେହେରା ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଉତ୍ସବର ବିଭିନ୍ନ ପର୍ଯ୍ୟାୟରେ ଅତିଥି ଭାବେ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଚଳଚ୍ଚିତ୍ର ପ୍ରଯୋଜକ ସଞ୍ଜୀବ ଦ୍ୱିବେଦୀ, ଶୁଭେନ୍ଦୁ ସାହୁ, ଡିଭାଇନ୍ ଇଞ୍ଜିନିୟରିଂ କଲେଜ ନିର୍ଦ୍ଦେଶକ ଇଂ ବିପ୍ଲବ ଭଞ୍ଜନ ବୁଗୁଡେଇ, ୨୫ ନମ୍ବର ୱାର୍ଡ କାଉନସିଲର ଦେବାଶିଷ ପାତ୍ର, କଳାକାର ତାପସ ପାଢ଼ୀ, ଶିଳ୍ପୀ ଜିତେନ୍ଦ୍ର ହେମ୍ବ୍ରମ, ଆନ୍ତର୍ଜାତିକ ୟୁଟ୍ୟୁବର ଲବ ହାଁସଦା ଏବଂ ବାଲୁକା ଶିଳ୍ପୀ ସୁଦର୍ଶନ ମହାନ୍ତ ପ୍ରମୁଖ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଜିଲ୍ଲାସ୍ତରୀୟ ଚିତ୍ରକଳା, ମଡର୍ଣ୍ଣ ଡ୍ୟାନ୍ସ, ସେମି-କ୍ଲାସିକାଲ ଡ୍ୟାନ୍ସ ତଥା ଏକାଡେମୀର ଚିତ୍ରକଳା, କ୍ରାଫ୍ଟ, ହସ୍ତାକ୍ଷର ଓ ନୃତ୍ୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିସହ ବାରିପଦାର ବିଭିନ୍ନ ଚିତ୍ରକଳା ପ୍ରତିଷ୍ଠାନ ଓ ତାହାର ଅଧ୍ୟକ୍ଷ, ମଡର୍ଣ୍ଣ ଓ ଶାସ୍ତ୍ରୀୟ ନୃତ୍ୟ ପ୍ରତିଷ୍ଠାତା, କଳା ଅନୁଷ୍ଠାନ ଏବଂ ସ୍ଥାନୀୟ ୟୁଟ୍ୟୁବରମାନଙ୍କୁ ସମ୍ମାନିତ କରାଯାଇଥିଲା । ହରେନ୍ଦ୍ର ମହାନ୍ତ ଓ ଖୁସି କୁମାର ମଞ୍ଚ ପରିଚାଳନା କରିଥିଲେ ।