
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ସଭା କକ୍ଷରେ ବ୍ଲକ ସ୍ତରୀୟ ଯୁବ ଉତ୍ସବ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ ଦେବତା, ଏବିଡିଓ ମେନକା ମେହେର, ନାଟ୍ୟକାର କେଶ ରଂଜନ ପ୍ରଧାନ, ନାଟ୍ୟକାର ଅଶୋକ କୁମାର ବହିଦାର, ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ସାମ୍ବାଦିକ ଗୋପବନ୍ଧୁ ସିକାଙ୍କ ସଂଯୋଜନାରେ ଏବଂ ବ୍ଲକ କଳା ସାଂସ୍କୃତିକ ସଂଘର ଉପସଭାପତି ଅଶ୍ୱିନୀ ପଟେଲ, କଳାକାର ରମେଶ ଗୁର୍ଲା, ସଙ୍ଗୀତଜ୍ଞ ସୁରେନ୍ଦ୍ର ସାହୁ, ବ୍ଲକ କର୍ମଚାରୀ ଅମିତ ମେହେର, ଝସକେତନ ବେହେରା ପ୍ରମୁଖଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନରୁ ପ୍ରତିଯୋଗୀ ଓ କଳାକାରମାନେ ନାଟକ, ଲୋକନୃତ୍ୟ ଲୋକଗୀତ, କବିତା ଲିଖନ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ । ସଚିଦାନନ୍ଦ ସାହୁ, ଅନ୍ତର୍ଯ୍ୟାମୀ ମେହେର, ଅଞ୍ଜଳି ପରିଡ଼ା, ମମତା ବରିହାଙ୍କ ସମେତ ବିଚାରକମାନେ ଯୋଗଦାନ କରିଥିଲେ । ଲୋକ ନୃତ୍ୟରେ ସୁରସରଗମ ସାଂସ୍କୃତିକ ଅନୁଷ୍ଠାନ ବରିକେଲ, ଲୋକଗୀତରେ ବୁଦ୍ଧଦେବ ମେହେର କଲେଜ ଦହିତା, ନୁକଡ ନାଟକରେ ବରିକେଲ ସଂସ୍କୃତ ମହାବିଦ୍ୟାଳୟ, କବିତା ଲିଖନରେ ସାଦିକା ଆଫ୍ରିନ୍, ତୁଷାର ପଟେଲ, ଚିତ୍ରକଳାରେ ମେଘନା ତରିଆ, ସୁବ୍ରତ ବରିହା ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି । ବ୍ଲକ ପ୍ରଶାସନ ଓ ବ୍ଲକ କଳା ସାଂସ୍କୃତିକ ସଂଘର ଆୟୋଜନ ଓ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।