jayashree

ଚିକିତ୍ସାରେ ଅର୍ଥ ସାଜିଥିଲା ବାଧକ : ବିଧାୟକ ଦୁର୍ଗା ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ଚିକିତ୍ସା ପାଇଁ ଭୁବନେଶ୍ୱର ଗଲେ ପ୍ରୀତି

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳ ଅନ୍ତର୍ଗତ ସେକ୍ଟର-୬ ପି ଏଣ୍ଡ ଟି କଲୋନୀରେ ରହୁଥିବା ୨୦ବର୍ଷ ବୟସ୍କ ଯୁବକ ପ୍ରୀତି ପ୍ରଭଞ୍ଜନ ରାଉଳ ପିଲାଟି ଦିନରୁ ଫେଲେରିଆ ରୋଗର ଶିକାର ହୋଇ ବାମ ଗୋଡଟି ମାତ୍ରାଧିକ ଫୁଲି ମୋଟା ହୋଇଯାଇଛି । ଯେଉଁଥିପାଇଁ ପ୍ରୀତି ପ୍ରଭଞ୍ଜନ ନିଜର ଦୈନନ୍ଦିନ କାର୍ଯ୍ୟ ସମ୍ପାଦନା କରିବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରୀତିଙ୍କ ବାପାଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ପ୍ରୀତି ନିଜ ଗୋଡ଼ର ଚିକିତ୍ସା ରାଜ୍ୟ ସରକାରଙ୍କ ଦ୍ୱାରା ମିଳିଥିବା ଆୟୁଷ୍ମାନ କାର୍ଡ ମାଧ୍ୟମରେ କରାଇ ଆସୁଥିଲେ । ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥିତ ଏମ୍ସକୁ ଯିବା ପାଇଁ ପ୍ରୀତି ପ୍ରଭଞ୍ଜନ ସ୍ଥିର କରିଥିଲେ । ଏଥିପାଇଁ ଅର୍ଥ ବାଧକ ସାଜିଥିବା ବେଳେ ପ୍ରୀତିଙ୍କ ବାପା ପ୍ରଦୀପ କୁମାର ରାଉଳ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀଙ୍କୁ ଦୁଇଦିନ ତଳେ ସାକ୍ଷାତ କରି ଭୁବନେଶ୍ୱର ଏମ୍ସକୁ ଅଧିକ ଚିକିତ୍ସା ପାଇଁ ଯିବାର ବ୍ୟବସ୍ଥା କରିଦେବା ପାଇଁ ଅନୁରୋଧ କରିଥିଲେ । ପ୍ରଦୀପଙ୍କ କଥା ଶୁଣିବା ପରେ ବିଧାୟକ ଦୁର୍ଗା ଚରଣ ତନ୍ତୀ ତୁରନ୍ତ ରାଉରକେଲା ସରକାରୀ ଡାକ୍ତରଖାନାର ବରିଷ୍ଟ ଅଧିକାରୀଙ୍କ ସହିତ ଏ ସମ୍ବନ୍ଧରେ କଥା ହୋଇ ତୁରନ୍ତ ପ୍ରୀତିଙ୍କୁ ଭୁବନେଶ୍ୱର ଏମ୍ସକୁ ନେବାପାଇଁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରିବା ପାଇଁ କହିଥିଲେ । ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ଫେଲେରିଆ ରୋଗରେ ଆକ୍ରାନ୍ତ ପ୍ରୀତି ପ୍ରଭଞ୍ଜନ ରାଉଳ ଶେଷରେ ଗତକାଲି ଆମ୍ବୁଲାନ୍ସ ମାଧ୍ୟମରେ ଭୁବନେଶ୍ୱର ଏମ୍ସକୁ ଯାଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।

Leave A Reply

Your email address will not be published.