
ରାଉରକେଲା, (ସସ୍ମିତା ପ୍ରଧାନ) : ଜିଏସ୍ଟି ଓ କେନ୍ଦ୍ରୀୟ ଅବକାରୀ ବିଭାଗ, ରାଉରକେଲା ପକ୍ଷରୁ ଏକ ଜିଏସ୍ଟି ଆଉଟରିଚ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ୫୭ତମ ଜିଏସ୍ଟି ପରିଷଦ ସୁପାରିଶ ପରେ ଜିଏସ୍ଟି ଆଇନରେ ହୋଇଥିବା ସଂଶୋଧନକୁ ସହଜରେ ବୁଝାଇବା ଓ କରଦାତାଙ୍କ ସମସ୍ୟା ସମାଧାନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଏସ୍ଟି ଓ କେନ୍ଦ୍ରୀୟ ଅବକାରୀ, ରାଉରକେଲା କମିଶନରେଟର କମିଶନର ଭି. ପାଣ୍ଡିରାଜା, ଆଇଆରଏସ୍ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଆରସିସିଆଇ ସଭାପତି ମଳୟ ମଣ୍ଡଳ, ଅତିରିକ୍ତ କମିଶନର ଅଜୟ କୁମାର ମଜୁମଦାର, ଆଡଭୋକେଟ୍ ଟ୍ୟାକ୍ସ ବାର୍ ଆସୋସିଏସନ୍ ସଭାପତି ପି. କେ. ରାଉତ, ସିଏ ଆସୋସିଏସନ୍ ସଭାପତି ପଙ୍କଜ ଗର୍ଗ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଜିଏସ୍ଟି ଆଇନରେ ନୂଆ ସଂଶୋଧନ ଓ ବ୍ୟବସାୟୀଙ୍କ ଉପରେ ଏହାର ପ୍ରଭାବ ବିଷୟରେ ପାୱାର ପଏଣ୍ଟ ମାଧ୍ୟମରେ ବୁଝାଯାଇଥିଲା । ଏହାପରେ ପ୍ରଶ୍ନୋତ୍ତର ପର୍ବ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବ୍ୟବସାୟୀ ଓ ଟ୍ୟାକ୍ସ ବିଶେଷଜ୍ଞମାନେ ନିଜ ସନ୍ଦେହ ପଚାରିଥିଲେ ଓ ବିଭାଗୀୟ ଅଧିକାରୀମାନେ ସେଗୁଡ଼ିକର ସମାଧାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫୦ ଜଣ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଆରସିସିଆଇର ପୂର୍ବତନ ସଭାପତି, କାର୍ଯ୍ୟକାରିଣୀ ସଦସ୍ୟ, ଜିଏସ୍ଟି ବିଭାଗୀୟ ଅଧିକାରୀ, ଆଇନଜୀବୀ, ଟ୍ୟାକ୍ସ ବିଶେଷଜ୍ଞ ଓ ବ୍ୟବସାୟୀ ସାମିଲ ଥିଲେ । ଶେଷରେ ଜିଏସ୍ଟି ବିଭାଗ, ଟ୍ୟାକ୍ସ ବିଶେଷଜ୍ଞ ଓ ସମସ୍ତ ଅଂଶଗ୍ରହଣ କାରୀଙ୍କୁ ଧନ୍ୟବାଦ ଦିଆଯାଇ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।