
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ୱୟଂଶାସିତ ମାନ୍ୟତା ନିମନ୍ତେ ଡକାଯାଇଥିବା ୪୨ଟି କଲେଜ ତାଲିକାରେ ସୋନପୁରର ସର୍ବ ପୁରାତନ କଲେଜ ସୋନପୁର କଲେଜର ନାମ ନଥିବାରୁ ପୁରାତନ ଛାତ୍ର ସଂଘ ତଥା ଆଲୁମିନି ଆସୋସିଏସନ ପକ୍ଷରୁ ଘୋର ଅସନ୍ତୋଷ ପ୍ରକାଶ ପାଇବା ସହ ଏ ନେଇ ସ୍ଥାନୀୟ ଶାହା ଗେଷ୍ଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି । ସରକାର କେଉଁ ଆଧାର ତଥା ମାନଦଣ୍ଡରେ ଏହା କରିବାକୁ ଯାଉଛନ୍ତି ତାହା ସ୍ପଷ୍ଟ କରନ୍ତୁ । କାରଣ ସୋନପୁର କଲେଜର ପାଠପଢ଼ା ମଧ୍ୟ ପୂର୍ବରୁ ଉନ୍ନତ ମାନର । ଏନେଇ ପୂର୍ବରୁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି କି ସଂଘ ପକ୍ଷରୁ ପ୍ରଶ୍ନ କରାଯାଇଛି । ସୂଚନାରୁ ଜଣାପଡିଛି ଯେ, ୩୦ ଅକ୍ଟୋବର ଦିନ ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ସଚିବଙ୍କ ଚିଠି ନଂ ୫୭୯୩୬/ଏଚ୍ଇ ଅନୁଯାୟୀ ନଭେମ୍ବର ୫ ତାରିଖରେ ନିର୍ଦ୍ଦେଶାଳୟରେ ହେବାକୁ ଥିବା ବୈଠକରେ କେବଳ ଏନ୍ଏଏସି (ନାକ୍)ରେ ମାନ୍ୟତା ପ୍ରାପ୍ତ କଲେଜ ଗୁଡିକୁ ଡକାଯାଇଛି । ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ ତାଲିକାରୁ ବାଦ୍ ପଡିଛି । ପୁରାତନ ଛାତ୍ର ସଂଘ ପକ୍ଷରୁ କୁହାଯାଇଛି ଯେ, ସୋନପୁର କଲେଜ ୧୯୬୪ ମସିହାରୁ ଏହି ଅଞ୍ଚଳର ଶିକ୍ଷାର ମେରୁଦଣ୍ଡ ଭାବେ କାର୍ଯ୍ୟ କରିଆସୁଛି । ଜିଲ୍ଲାର ହଜାର ହଜାର ଗରିବ ମେଧାବୀ ଛାତ୍ରଛାତ୍ରୀ ଏଠାରେ ପଢୁଛନ୍ତି । ସଂଘ ପକ୍ଷରୁ କୁହାଯାଇଛି ଯେ, ଏହି ପୁରାତନ ମହାବିଦ୍ୟାଳୟକୁ ବ୍ୟାପକ ଅବହେଳା ତଥା ସରକାରୀ ମାନ୍ୟତା ପ୍ରଦାନ କରାଯାଇ ନଥିବାରୁ ଆଲୁମିନୀ ସଂଘ ପକ୍ଷରୁ ସରକାରଙ୍କ ପାଖରେ ବାରମ୍ବାର ବିଭିନ୍ନ ଉପାୟରେ ଦାବୀ କରାଯାଇଛି । ବିଭିନ୍ନ ମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀଙ୍କ ସୋନପୁର ଗସ୍ତ ସମୟରେ ମଧ୍ୟ ସାକ୍ଷାତ ଆଲୋଚନା ହୋଇଛି । ସଂଘ ପକ୍ଷରୁ କଲେଜରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ତଥା କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲାଙ୍କ ନେତୃତ୍ୱରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସହ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ସରକାରଙ୍କ ଏଭଳି ବୈମାତୃକ ମନୋଭାବ ସୁବର୍ଣ୍ଣପୁର ଜିଲ୍ଲା ପ୍ରତି ଅବହେଳାର ପ୍ରମାଣ । ତୁରନ୍ତ ସୋନପୁର କଲେଜକୁ ସ୍ୱୟଂଶାସିତ ମାନ୍ୟତା ପ୍ରକ୍ରିୟାରେ ସାମିଲ କରାନଯାଏ ତ ଆଗାମୀ ଦିନରେ ଗଣ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଆଜିର ଏହି ସମ୍ମିଳନୀରେ ଆଲୁମିନି ଆସୋସିଏସନର ସଭାପତି ଡ. ପ୍ରଫୁଲ୍ଲ କୁମାର ରଥ, ଉପସଭାପତି ଗତିକୃଷ୍ଣ ମିଶ୍ର, ସଂପାଦକ ଭାରତ ଭୂଷଣ ଦାଶ, ଆବାହକ ସୁଦାମ ଚରଣ ମିଶ୍ର, କୋଷାଧ୍ୟକ୍ଷ ବିଶ୍ୱ ରଞ୍ଜନ ପୂଜାହାରୀ, ମିଡ଼ିଆ ସେଲ ସଂଯୋଜକ ରାଜ କିଶୋର ତ୍ରିପାଠୀଙ୍କ ସହ କାର୍ଯ୍ୟକାରୀଣି ସଦସ୍ୟ ସୁଧୀର କୁମାର ପଣ୍ଡା, ଶାଶ୍ୱତ ମିଶ୍ର, ନିଶାନ୍ତ ମହାନ୍ତି, ଜ୍ୟୋତିର୍ମୟ ମିଶ୍ର ପ୍ରମୁଖଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।