
ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ ଭିତ୍ତିଭୂମିର ସମୀକ୍ଷା; ତ୍ୱରିତ ପଦକ୍ଷେପ ପାଇଁ ନିର୍ଦ୍ଦେଶ
ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ୍ ବିଶୋଇ ବ୍ଲକର ବିଭିନ୍ନ ଅଞ୍ଚଳକୁ ତୁଫାନୀ ଗସ୍ତ କରି ରାସ୍ତା, ସ୍ୱାସ୍ଥ୍ୟସେବା, ଶିକ୍ଷା, ବିଦ୍ୟୁତ ଯୋଗାଣ ଓ ଯାତାୟାତ ଭିତ୍ତିଭୂମି ସମ୍ପର୍କିତ ବିଭିନ୍ନ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଥିଲେ । ଏହି ଅବସରରେ ଅଧାପନ୍ତରିଆ କାର୍ଯ୍ୟର ତ୍ୱରିତ ସମ୍ପୂର୍ଣ୍ଣତା, ଆବଶ୍ୟକୀୟ ମରାମତି ଏବଂ ମୌଳିକ ସୁବିଧାର ଉନ୍ନତି ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଗସ୍ତର ପ୍ରାରମ୍ଭରେ ଜିଲ୍ଲାପାଳ ବିଶୋଇ-ଶଙ୍ଖାଭଙ୍ଗା ଭାୟା ହାତୀଛାଡ ପୂର୍ତ୍ତ ବିଭାଗ ରାସ୍ତାର ସ୍ଥିତି ଅନୁଧ୍ୟାନ କରିଥିଲେ । ଅଧାପନ୍ତରିଆ ହୋଇରହିଥିବା ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ପୁନଃ ଆରମ୍ଭ କରି ଏହାକୁ ଯାତାୟାତ ଉପଯୋଗୀ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଏହା ଦ୍ୱାରା ଦ୍ୱାରଶୁଣୀ ଘାଟିରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଲେ ବିକଳ୍ପ ରାସ୍ତା ଭାବେ ଏହା ଲୋକଙ୍କ ଯାତାୟାତକୁ ସୁଗମ କରିପାରିବ ବୋଲି ସେ ମତ ପ୍ରକାଶ କରିଥିଲେ । ଏହାପରେ ଜିଲ୍ଲାପାଳ ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି କୋଠାର ଛାତ ଓ କାନ୍ଥରୁ ପାଣି ଗଳୁଥିବା ସମସ୍ୟା ଅନୁଧ୍ୟାନ କରିଥିଲେ । ଏହାର ତୁରନ୍ତ ମରାମତି ପାଇଁ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ସେହିପରି ରଳିଆବିନ୍ଧା ମୌଜାରେ ପ୍ରସ୍ତାବିତ ନୂତନ ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନିର୍ମାଣ କାର୍ଯ୍ୟ ଓ ଟେଣ୍ଡର ପ୍ରକ୍ରିୟା ସମ୍ପର୍କରେ ସେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ । ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ମହୁଭଣ୍ଡାର ଅନ୍ତର୍ଗତ ଖଡ଼ିଆସାହି ଗ୍ରାମ ପରିଦର୍ଶନ କରି ସେଠାରେ ବିଦ୍ୟୁତ ସଂଯୋଗ ନଥିବା ସମ୍ପର୍କରେ ଅବଗତ ହୋଇଥିଲେ । ଗ୍ରାମବାସୀଙ୍କୁ ବିଦ୍ୟୁତ ସୁବିଧା ଯୋଗାଇଦେବା ପାଇଁ ସେ ବାରିପଦା ବିଦ୍ୟୁତ ଡିଭିଜନର ଟିପିଏନ୍ଓଡିଏଲ୍ ଅଧୀକ୍ଷଣ ଯନ୍ତ୍ରୀ ଓ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଗ୍ରାମକୁ ପାରମ୍ପରିକ ବିଦ୍ୟୁତ ସଂଯୋଗ ଅଥବା ବିକଳ୍ପ ଭାବେ ସୌରଶକ୍ତି ମାଧ୍ୟମରେ ବିଦ୍ୟୁତ ସୁବିଧା ଯୋଗାଇଦେବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶିକ୍ଷା ଓ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଉପରେ ମଧ୍ୟ ଜିଲ୍ଲାପାଳ ଏହି ଗସ୍ତ ସମୟରେ ଗୁରୁତ୍ୱାରୋପ କରିଥିଲେ । କାଦୁଆଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗୋଦାବରୀଶ ବିଦ୍ୟାଳୟ ଭାବେ ରୂପାନ୍ତରଣ ନିମନ୍ତେ ଆବଶ୍ୟକ ଜମି ପରିଦର୍ଶନ କରିଥିଲେ । ଏଥିସହ କାଦୁଆଣି ମୌଜାରେ ଥିବା ଖେଳପଡ଼ିଆର ଉନ୍ନତିକରଣ ପାଇଁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ । ଏହାପରେ ଜାମିରଡ଼ିହାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ ସମୟରେ କୋଠାର ଶୋଚନୀୟ ଅବସ୍ଥା ଏବଂ ଛାତରୁ କଂକ୍ରିଟ୍ ଖଣ୍ଡ ଖସୁଥିବା ଦେଖି ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ବିଦ୍ୟାଳୟର ଭିତ୍ତିଭୂମିର ଉନ୍ନତିକୁ ଦୃଷ୍ଟିରେ ରଖି କୋଠାର ତୁରନ୍ତ ମରାମତି ପାଇଁ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ଗସ୍ତ ସମୟରେ ବିଶୋଇ ତହସିଲଦାର, ବିଶୋଇ ବିଡ଼ିଓ, ପୂର୍ତ୍ତ ବିଭାଗ ରାଇରଙ୍ଗପୁର ଅଧିକ୍ଷଣ ଯନ୍ତ୍ରୀ, ଏସଡିଓ ଜଳସେଚନ, ବିଇଓ ବିଶୋଇ ସମେତ ବିଭିନ୍ନ ବିଭାଗର ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।