jayashree

ମୁରିବାହାଲ ଥାନା ଅନ୍ତର୍ଲାରୁ ୩ ମହିଳା ଓ ୨ ପୁରୁଷଙ୍କ ସହ ୫ ବେଆଇନ୍ ଦାଦନ ଶ୍ରମିକ ଉଦ୍ଧାର, ଜେଲ୍ ଗଲା ଦାଦନ ଦଲାଲ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଦାଦନ ଚାଲାଣ ଯୋଜନା ପଣ୍ଡ, ୫ ଶ୍ରମିକ ଉଦ୍ଧାର, ଓଡ଼ିଶାରେ ହିଁ କାମ ଦେବାକୁ କହି ବାହାର ରାଜ୍ୟକୁ ପଠାଇବାକୁ ଯୋଜନା, ଅଭିଯୁକ୍ତ ଦାଦନ ଦଲାଲ ଗିରଫ ପରେ ଜେଲ୍ । ଚଳିତ ବର୍ଷ ମୁରିବାହାଲ ଥାନା ଅଞ୍ଚଳରୁ ପ୍ରଥମ ଥର ଦାଦନ ଶ୍ରମିକ ଚାଲାଣ ଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଓଡ଼ିଶା ଭିତରେ ହିଁ କାମ ଯୋଗାଇଦେବା ଓ ଅଗ୍ରିମ ୫୦ ହଜାର ଟଙ୍କା ଦେବାର ପ୍ରଲୋଭନ ଦେଇ ପାଞ୍ଚ ଜଣ ଶ୍ରମିକଙ୍କୁ ଅଟକ ରଖିବା ଓ ପରେ ରାଜ୍ୟ ବାହାରକୁ ପଠାଇବାକୁ ଯୋଜନା କରାଯାଉଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ପୁଲିସ ମୁରିବାହାଲ ଥାନା ଅନ୍ତର୍ଲା ଗ୍ରାମରୁ ପାଞ୍ଚ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଶ୍ରମିକ ଦଲାଲ ବାଳ୍ମୀକି ନାଗ (୨୬)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାନୁସାରେ, ଅନ୍ତର୍ଲା ଗ୍ରାମର ବିଜୟ ନାଗଙ୍କ ପୁଅ ବାଳ୍ମୀକି ନାଗ ପାଟଣାଗଡ଼, ଲରମ୍ଭା ଓ ଦେଓଗାଁ ଥାନା ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରୁ ଦୁଇ ଜଣ ପୁରୁଷ, ତିନି ଜଣ ମହିଳା ଓ ଜଣେ ଶିଶୁଙ୍କୁ ଏକାଠି ରଖିଥିଲେ । ସେମାନଙ୍କୁ ଓଡ଼ିଶାରେ ହିଁ କାମ ମିଳିବ ଓ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅଗ୍ରିମ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଅଭିଯୋଗ ହୋଇଛି । ତେବେ ଏହି ପ୍ରତିଶ୍ରୁତି ପଛରେ ଅନ୍ୟ ଯୋଜନା ଥିବା ଜଣାପଡ଼ିଥିଲା । ଅଭିଯୋଗ ଅନୁଯାୟୀ, ଶ୍ରମିକମାନଙ୍କୁ ଦଲାଲ ତିନି ଦିନ ଧରି ନିଜ ପାଖରେ ରଖିବା ପରେ ସେମାନଙ୍କୁ ରାଜ୍ୟ ବାହାରକୁ ପଠାଇବା ପାଇଁ ବିଭିନ୍ନ ଶ୍ରମିକ ସର୍ଦ୍ଦାରଙ୍କ ସହ ଯୋଗାଯୋଗ ଚାଲିଥିଲା । ଏହି କାରବାରରୁ ଅଭିଯୁକ୍ତ ମୋଟା ଅଙ୍କର ପାରିଶ୍ରମିକ ନେବାକୁ ଯୋଜନା କରିଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ଖବର ପାଇ ଥାନା ପୁଲିସ ଗତକାଲି ରାତିରେ ଅନ୍ତର୍ଲା ଗ୍ରାମରେ ଚଢ଼ାଉ କରି ପାଞ୍ଚ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲା । ଏହାସହ ଅଭିଯୁକ୍ତ ବାଲ୍ମୀକି ନାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦାଦନ ସମସ୍ୟା ଓ ଶ୍ରମିକ ଚାଲାଣ ଓଡ଼ିଶାର ଅନେକ ଶ୍ରମଜୀବୀ ପରିବାର ପାଇଁ ଏକ ଗମ୍ଭୀର ଚିନ୍ତାର ବିଷୟ । ଭଲ ରୋଜଗାରର ଆଶା ଦେଖାଇ ଶ୍ରମିକମାନଙ୍କୁ ଅନିଶ୍ଚିତତା ମଧ୍ୟକୁ ଠେଲିଦେବା ଭଳି ଘଟଣା ରୋକିବା ପାଇଁ ପ୍ରଶାସନର ତୀକ୍ଷ୍ଣ ନଜର, ଶ୍ରମିକଙ୍କ ସଚେତନତା ଏବଂ ଦଲାଲଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଜରୁରୀ । ଏହି ଘଟଣାରେ ଶ୍ରମିକମାନଙ୍କୁ କେଉଁଠାକୁ ଓ କେଉଁ ଉଦ୍ଦେଶ୍ୟରେ ପଠାଇବାକୁ ଯୋଜନା ହୋଇଥିଲା, ତାହାର ସମ୍ପୂର୍ଣ୍ଣ ତଦନ୍ତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ଏ ସମ୍ପର୍କରେ ଥାନା କେଶ ନଂ ୧୯୧/୨୬ରୁଜ୍ଜୁ କରାଯାଇ ଅଭିଯୁକ୍ତ ଦାଦନ ଦଲାଲ ବାଲ୍ମିକୀ ନାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଅଧିକାରୀ ବୁଲୁ ମୁଣ୍ଡା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.