jayashree

ସମଲେଶ୍ୱରୀ ସ୍ପୋର୍ଟିଂ-ଡେମ୍ପୋ ଏସ୍‌ସି ମୁକାବିଲା ଆସନ୍ତାକାଲି, ବିଜୟ ଲକ୍ଷ୍ୟରେ ଘରୋଇ ଦଳ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲାରେ ଆସନ୍ତାକାଲି ଇଣ୍ଡିଆନ୍ ଫୁଟବଲ୍ ଲିଗ୍‌ର ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ । ଡେମ୍ପୋ ଏସ୍‌ସି ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ ସମଲେଶ୍ୱରୀ ସ୍ପୋର୍ଟିଂ। ନଭେମ୍ବର ୫ ତାରିଖ ଗୁରୁବାର ସନ୍ଧ୍ୟା ୬ଟା ୩୦ ମିନିଟ୍‌ରେ ବିର୍ସାମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍ ଖେଳାଯିବ। ମ୍ୟାଚ୍ ପୂର୍ବରୁ ଆଜି ଷ୍ଟାଡିୟମ୍‌ରେ ସମଲେଶ୍ୱରୀ ସ୍ପୋର୍ଟିଂ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ଦଳର ମୁଖ୍ୟ ପ୍ରଶିକ୍ଷକ ଅବଦୁଲ୍ ଆଜିମ୍ ସିଦ୍ଦିକୀ ଓ ମଧ୍ୟଭାଗ ଖେଳାଳି ଅମରଜିତ୍ ସିଂହ କିୟାମ୍ ଯୋଗଦେଇ ଦଳର ପ୍ରସ୍ତୁତି, ରଣନୀତି ଏବଂ ମ୍ୟାଚ୍‌କୁ ନେଇ ନିଜର ମତ ରଖିଥିଲେ । ପ୍ରଶିକ୍ଷକ ସିଦ୍ଦିକୀ କହିଥିଲେ ଯେ, ଇଣ୍ଡିଆନ୍ ଫୁଟବଲ୍ ଲିଗ୍‌ରେ ଅଂଶଗ୍ରହଣ କରୁଥିବା ଓଡ଼ିଶାର ପ୍ରଥମ ଦଳ ଭାବେ ସମଲେଶ୍ୱରୀ ସ୍ପୋର୍ଟିଂ ରାଜ୍ୟର ଫୁଟବଲ୍ ଜଗତରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି । ଦଳରେ ୧୦ ଜଣ ଓଡ଼ିଆ ଖେଳାଳି ଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ସମ୍ବଲପୁରର । ଏହାସହ ୫ ଜଣ ବିଦେଶୀ ଖେଳାଳି ମଧ୍ୟ ଦଳରେ ସାମିଲ ଅଛନ୍ତି । ଭାରତୀୟ ଜାତୀୟ ଦଳ ପାଇଁ ଖେଳିଥିବା ୧୪ ଜଣ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବାର ଅଭିଜ୍ଞତା ତାଙ୍କ ପାଇଁ ଗର୍ବର ବିଷୟ ବୋଲି ସେ କହିଥିଲେ । ସେହିପରି ଖେଳାଳି ଅମରଜିତ୍ ସିଂହ କିୟାମ୍ ରାଉରକେଲାବାସୀଙ୍କ ଭଲପାଇବା ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଇଥିଲେ । ଷ୍ଟାଡିୟମ୍‌ରେ ଦର୍ଶକଙ୍କ ଉପସ୍ଥିତି ଖେଳାଳିଙ୍କ ମନୋବଳ ବଢ଼ାଇବା ସହ ପଡ଼ିଆରେ ଉନ୍ନତ ପ୍ରଦର୍ଶନ କରିବାକୁ ପ୍ରେରଣା ଦେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ତେବେ ଆସନ୍ତାକାଲିର ଏହି ମ୍ୟାଚ୍‌ରେ ଘରୋଇ ଦର୍ଶକଙ୍କ ସମର୍ଥନକୁ ପାଥେୟ କରି ଡେମ୍ପୋ ଏସ୍‌ସି ବିପକ୍ଷରେ ସମଲେଶ୍ୱରୀ ସ୍ପୋର୍ଟିଂ କିଭଳି ପ୍ରଦର୍ଶନ କରୁଛି, ତାହା ଉପରେ ରହିବ ସମସ୍ତଙ୍କ ନଜର।

Leave A Reply

Your email address will not be published.