jayashree

ଦୀପାବଳୀରେ ବାଣ ବ୍ୟବସାୟକୁ ନେଇ ପ୍ରଶାସନର ନିୟମ ଉପରେ ପ୍ରଶ୍ନବାଚୀ : ନିୟମ ଭିତରେ ରହି ବ୍ୟବସାୟ କରିବେ କିପରି ?

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଦୀପାବଳୀ ଆସିଲେ ବାଣ ବଜାରରେ ଦେଖିବାକୁ ମିଳେ ଚଳଚଞ୍ଚଳତା । ଏହି ସମୟରେ ବାଣ ବ୍ୟବସାୟ କରି ଦୁଇ ପଇସା ରୋଜଗାର କରିବାକୁ ଅନେକ ବ୍ୟବସାୟୀ ଆଗ୍ରହ ପ୍ରକାଶ କରନ୍ତି । ହେଲେ ବାଣ ବିକ୍ରି ପାଇଁ ଲାଇସେନ୍ସ ପ୍ରଦାନର ସମୟସୀମା ଓ ବାଣ ସଂଗ୍ରହ କରିବାର ବାସ୍ତବ ସ୍ଥିତିକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ । ପ୍ରଶାସନର ନିୟମ ଓ ବ୍ୟବସାୟର ଆବଶ୍ୟକତା ମଧ୍ୟରେ ରହିଥିବା ଏହି ତାଳମେଳ ଅଭାବ ବ୍ୟବସାୟୀଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ଅଭିଯୋଗ ଅନୁଯାୟୀ, ଦୀପାବଳୀର ମାତ୍ର ଦୁଇ ଦିନ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଣ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ପ୍ରଦାନ କରାଯାଉଛି । କିନ୍ତୁ ବ୍ୟବସାୟୀଙ୍କୁ ବଜାରର ଚାହିଦା ଓ ଯୋଗାଣକୁ ଦୃଷ୍ଟିରେ ରଖି ପ୍ରାୟ ମାସକ ପୂର୍ବରୁ ବାଣ ସଂଗ୍ରହ କରି ରଖିବାକୁ ପଡ଼ୁଛି । କାରଣ ଶେଷ ମୁହୂର୍ତ୍ତରେ ବାଣ ଯୋଗାଣରେ ଅଭାବ ଦେଖାଦେବା ସହ ଦରବୃଦ୍ଧିର ଆଶଙ୍କା ମଧ୍ୟ ରହିଛି । ଏଭଳି ସ୍ଥିତିରେ ଲାଇସେନ୍ସ ମିଳିବା ପୂର୍ବରୁ ବାଣ ସଂଗ୍ରହ କରି ରଖିଲେ ତାହାକୁ ବେଆଇନ ମହଜୁଦ ବୋଲି ଧରାଯିବାର ଆଶଙ୍କା ରହୁଛି । ଯଦି ପୁଲିସ ଏହାର ସୁରାକ ପାଇ ଚଢ଼ାଉ କରେ, ତେବେ ବାଣ ଜବତ ହେବା ସହ ବ୍ୟବସାୟୀଙ୍କୁ ଆଇନଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଅନ୍ୟପକ୍ଷରେ ଲାଇସେନ୍ସ ମିଳିବା ପରେ ବାଣ କିଣିବାକୁ ଗଲେ ଠିକ୍ ସମୟରେ ଆବଶ୍ୟକ ପରିମାଣର ବାଣ ମିଳିବା ନେଇ ଅନିଶ୍ଚିତତା ରହୁଛି । ଏଠାରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ଯଦି ଲାଇସେନ୍ସ ମିଳିବା ପୂର୍ବରୁ ବାଣ ରଖିବା ବେଆଇନ, ତେବେ ଲାଇସେନ୍ସ ମିଳିବାର ମାତ୍ର ଦୁଇ ଦିନ ମଧ୍ୟରେ ବ୍ୟବସାୟୀ କିପରି ବାଣ ସଂଗ୍ରହ କରି ଦୋକାନ ଖୋଲିବେ ? ଆଉ ଯଦି ଲାଇସେନ୍ସ ପାଇବା ପରେ ସେହି ବାଣ ବିକ୍ରି ଆଇନସମ୍ମତ, ତେବେ ତାହାର ପୂର୍ବ ପ୍ରସ୍ତୁତି ପାଇଁ ସ୍ପଷ୍ଟ ବ୍ୟବସ୍ଥା କାହିଁକି ନାହିଁ ? ବାଣ ବ୍ୟବସାୟୀଙ୍କ ସୁରକ୍ଷା ସହ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ନିଶ୍ଚିତ କରିବା ପ୍ରଶାସନର ଦାୟିତ୍ୱ । ତେଣୁ ସୁରକ୍ଷା ନିୟମକୁ କଡ଼ାକଡ଼ି ପାଳନ କରିବା ସହ ଲାଇସେନ୍ସ ପ୍ରଦାନ, ବାଣ ସଂଗ୍ରହ ଓ ସଂରକ୍ଷଣ ପାଇଁ ଏକ ସ୍ପଷ୍ଟ ଓ ବ୍ୟବହାରିକ ବ୍ୟବସ୍ଥା କରିବା ଆବଶ୍ୟକ । ନଚେତ୍ ନିୟମ ପାଳନ କରିବାକୁ ଯାଇ ବ୍ୟବସାୟୀମାନେ ଅଯଥା ଆଇନଗତ ଦ୍ୱନ୍ଦ୍ୱରେ ପଡ଼ିବେ । ନିୟମ ରହୁ, ସୁରକ୍ଷା ବି ରହୁ; ହେଲେ ନିୟମ ଏପରି ନହେଉ ଯେ, ବ୍ୟବସାୟ କରିବା ପୂର୍ବରୁ ବ୍ୟବସାୟୀ ଦ୍ୱନ୍ଦ୍ୱରେ ପଡ଼ିଯିବେ । ଏହି ଦିଗରେ ଜିଲ୍ଲା ପ୍ରଶାସନର ସ୍ପଷ୍ଟୀକରଣ ସହ ବ୍ୟବହାରିକ ପଦକ୍ଷେପ ଏବେ ଅପେକ୍ଷିତ ।

Leave A Reply

Your email address will not be published.