
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ବେନକେରା ଗ୍ରାମରେ ଜଣେ ୧୮ ବର୍ଷୀୟ ଯୁବକଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ମୃତକ ହେଲେ ଗ୍ରାମର ସ୍ୱର୍ଗତ ଡଗରାଜ ବେହେରାଙ୍କ ମଝିଆ ପୁଅ ନିରୋଜ ବେହେରା (୧୮) । ସୂଚନା ଅନୁସାରେ, ମଙ୍ଗଳବାର ଦ୍ୱିପ୍ରହରରେ ଶୌଚ ପାଇଁ ଯାଉଥିବା କହି ନିରୋଜ ଘରୁ ବାହାରି ନିଜ ଜମି ଆଡ଼କୁ ଯାଇଥିଲେ । ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟ୍ ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଜମିରେ ଥିବା ଏକ ଭେଲୁଆ ଗଛରେ ଗାମୁଛା ସାହାଯ୍ୟରେ ଝୁଲନ୍ତା ଅବସ୍ଥାରେ ଦେଖି ପରିବାରକୁ ଖବର ଦେଇଥିଲେ । ପରେ ପରିବାର ପକ୍ଷରୁ ଖପ୍ରାଖୋଲ ପୋଲିସକୁ ସୂଚନା ଦିଆଯାଇଥିଲା । ଖବର ପାଇ ଏଏସ୍ଆଇ ନାରାୟଣ ସାହୁ ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ପାରିପାର୍ଶ୍ୱିକ ତଦନ୍ତ କରିଥିଲେ । ପରେ ଶବକୁ ଖପ୍ରାଖୋଲ ଡାକ୍ତରଖାନାକୁ ଅଣାଯାଇ ବ୍ୟବଚ୍ଛେଦ କରାଯାଇଥିଲା । ବ୍ୟବଚ୍ଛେଦ ପରେ ପୋଲିସ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରିଥିଲା । ଏନେଇ ଖପ୍ରାଖୋଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଥିବା ଥାନାଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି ।